ନୂଆଦିଲ୍ଲୀ: ଦିଲ୍ଲୀର ମହିପାଲପୁରରେ ଏକ ବିଦେଶୀ ଯୁବତୀଙ୍କ ସହିତ ଗଣଦୁଷ୍କର୍ମର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ଜଣେ ବ୍ୟକ୍ତି ଓ ହୋଟେଲର କର୍ମଚାରୀଙ୍କ ନାଁ ସାମ୍ନାକୁ ଆସିଛି । ପୋଲିସ ଉଭୟଙ୍କୁ ଗିରଫ କରି ନିଜ ହେପାଜତରେ ରଖିଛି । ପୀଡିତ ମହିଳା ବ୍ରିଟିଶ ନିବାସୀ ଏବଂ ସାମାଜିକ ଗଣମାଧ୍ୟମରେ ଚିହ୍ନା ପରିଚୟ ହୋଇ ଦିଲ୍ଲୀ ପହଞ୍ଚିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି ।
ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଇଂଲଣ୍ଡର ନିବାସୀ ଏହି ବିଦେଶୀ ମହିଳା କୈଳାସ ନାମକ ଯୁବକ ସହିତ ଇନଷ୍ଟାଗ୍ରାମରେ ବନ୍ଧୁତା କରିଥିଲେ । ଏହି ଆଧାରରେ ଯୁବତୀ ଦିଲ୍ଲୀ ଚାଲି ଆସିଲେ । ଅଭିଯୁକ୍ତ ହୋଟେଲରେ ନିଶାସକ୍ତ ଅବସ୍ଥାରେ ଥିଲେ ଏବଂ ଏହି ସମୟରେ ଯୁବତୀ ଜଣକ ଅଭିଯୁକ୍ତକୁ ଭେଟିବା ପାଇଁ ହୋଟେଲ୍ ଡକାଇଥିଲେ । ହୋଟେଲରେ ଦୁଇ ଅଭିଯୁକ୍ତ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ବସନ୍ତ କୁଞ୍ଜ ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି ଘଟଣା ବିଷୟରେ ବ୍ରିଟିଶ ଉଚ୍ଚାୟୋଗକୁ ଅବଗତ କରାଇ ଦେଇଛନ୍ତି ।
ପୋଲିସ ଅଧିକାରୀଙ୍କ ଅନୁସାରେ ଅଭିଯୁକ୍ତ ଯୁବକ ବସୁନ୍ଧରା, ମୟୂରବିହାର ପୂର୍ବ ଦିଲ୍ଲୀରେ ରହୁଛି । ତାକୁ ରିଲ୍ ତିଆରି କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିବାର ସଉକ ରହିଛି । କିଛି ମାସ ପୂର୍ବେ ତାର ଲଣ୍ଡନରେ ରହୁଥିବା ଯୁବତୀ ସହ ଇନଷ୍ଟାଗ୍ରାମ ଜରିଆରେ ବନ୍ଧୁତା ହୋଇଥିଲା । କିଛି ଦିନ ପୂର୍ବେ ଯୁବତୀ ମହାରାଷ୍ଟ୍ର ଓ ଗୋଆ ବୁଲିବାକୁ ଆସିଥିଲେ । ସେଠାରୁ ସେ କୈଳାସକୁ ଫୋନ କରିଥିଲେ ଏବଂ ଭେଟିବାକୁ ଡାକିଥିଲେ ।
କୈଳାସ ଗୋଆ ଯିବାକୁ ଅସମର୍ଥତା ପ୍ରକାଶ କରିବା ସହ ଯୁବତୀଙ୍କୁ ଦିଲ୍ଲୀ ଆସିବାକୁ କହିଥିଲା । ଯୁବତୀ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିଥିଲେ ଏବଂ ମହିପାଲପୁର ସ୍ଥିତ ଏକ ହୋଟେଲରେ ରହିଥିଲେ । ଯୁବତୀ ଡାକିବାରୁ କୈଳାସ ନିଜ ସାଙ୍ଗ ୱାସିମକୁ ଧରି ହୋଟେଲ ପହଞ୍ଚିଥିଲା । ସେଠାରେ ମଦ୍ୟପାନ କରିବା ସହିତ ଭୋଜନ କରିଥିଲେ ।
ଏହା ପରେ କଥାବାର୍ତ୍ତା ହେଉ ହେଉ ଉଭୟ ଯୁବତୀଙ୍କ ରୁମକୁ ଚାଲିଗଲେ । ସେଠାରେ ଯୁବତୀଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଘଟଣା ପରେ ଯୁବତୀ ଚିତ୍କାର କରିବା ସହ ପାଟିତୁଣ୍ଡ କରିଥିଲେ । କୈଳାସ ୱାସିମକୁ ରୁମକୁ ଡକାଇ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।
ଜିଲ୍ଲା ପୋଲିସ ଅଧିକାରୀଙ୍କ ଅନୁସାରେ, ଯୁବତୀ ରାତିରେ ଶୋଇ ପଡିଥିଲେ ହେଁ ବୁଧବାର ସକାଳେ ନିଜେ ଫୋର୍ଟିଜ ହସ୍ପିଟାଲ୍ ପହଞ୍ଚିଥିଲେ । ସେଠାରେ ନିଜର ମେଡିକାଲ୍ ଯାଞ୍ଚ କରାଇଥିଲେ । ହସ୍ପିଟାଲରୁ ପୋଲିସକୁ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା । ଏହା ପରେ ବସନ୍ତକୁଞ୍ଜ ନର୍ଥ ଥାନା ପୋଲିସ କୈଳାସ ଓ ତାର ସାଙ୍ଗ ୱାସିମକୁ ଗିରଫ କରିଛି । ଉଭୟଙ୍କୁ କୋର୍ଟରେ ହାଜର କରାଇବା ପରେ ରିମାଣ୍ଡରେ ନିଆଯାଇଛି ।