ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପ୍ରତିଷ୍ଠିତ ଆଇଟି କମ୍ପାନୀ ମ୍ୟାନେଜର ମାନବ ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମାନବ ଶାଶୁ ଏବଂ ଶାଳୀ ଗିରଫ ହୋଇଛନ୍ତି । ସେମାନେ ହେଲେ ମାନବଙ୍କ ଶାଶୁ ପୁନମ ଶର୍ମା ଏବଂ ଶାଳୀ ନିଶୁ ଶର୍ମା । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ପକ୍ଷରେ ଘଟଣାର ପ୍ରମୁଖ କାର୍ପଟଦାର କୁହାଯାଉଥିବା ତାଙ୍କ ପତ୍ନୀ ନିକିତା ଏବଂ ଶ୍ୱଶୁର ନିପେନ୍ଦ୍ର ଶର୍ମା ଏବେବି ଫେରାର ଅଛନ୍ତି ।
ପୋଲିସ ଅଧିକାରୀ ବିରେଶ ପାଲ ଗିରିଙ୍କ ମୁତାବକ, ଘଟଣାର ୧୫ ଦିନ ପରେ ବୁଧବାର ମାନବଙ୍କ ଶାଶୁ ପୁନମ ଶର୍ମା ଏବଂ ଶାଳୀ ନିଶୁ ଶର୍ମାଙ୍କୁ ଗିରଫ କରାଯାଇଛି । ମାନ୍ୟବର ହାଇକୋର୍ଟ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିବା ପରେ ସେମାନଙ୍କୁ ଗିରଫ କରାଯାଇଛି । ମାନବଙ୍କ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ତାଙ୍କ ପତ୍ନୀ ନିକିତା ଏବଂ ଶ୍ୱଶୁର ନିପେନ୍ଦ୍ର ଘଟଣା ପରଠାରୁ ଫେରାର ଅଛନ୍ତି । ସେମାନଙ୍କୁ ପୋଲିସ ଧରିବାକୁ ଉଦ୍ୟମ ଜାରି ରଖିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଫେବୃଆରୀ ୨୪ ତାରିଖରେ ମାନବ ଶର୍ମା ତାଙ୍କର ଆଗ୍ରାସ୍ଥିତ ବାସଭବନରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହା ପୂର୍ବରୁ ସେ ଏକ ଲାଇଭ ଭିଡ଼ିଓ କରି ପତ୍ନୀ ନିକିତା ଏବଂ ତାଙ୍କ ପରିବାର ଉପରେ ମାନସିକ ନିର୍ୟ୍ୟାତନାର ଅଭିଯୋଗ ଲଗାଇଥିଲେ । ଫେବୃଆରୀ ୨୭ ତାରିଖରେ ମାନବଙ୍କ ବାପା ନରେନ୍ଦ୍ର ନିକିତା, ତାଙ୍କ ବାପା ନିପେନ୍ଦ୍ର, ମାଆ ପୁନମ ଓ ତାଙ୍କର ଦୁଇ ଭଉଣୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ।