ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ସମାପ୍ତ ହେବାକୁ ୪ ଦିନ ବିତି ସାରିଛି, ତଥାପି ଏବେ ବି ରୋହିତ ଶର୍ମାଙ୍କ ଦିିନିକିଆ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ଉଚିତ୍ କି ନାହିଁ ତାକୁ ନେଇ ବିତର୍କ ଜାରି ରହିଛି । ରୋହିତ ଶର୍ମା ନିଜେ ସ୍ପଷ୍ଟ କରି ସାରିଛନ୍ତି ଯେ, ସେ ଏତେ ଜଲଦି ଏବେ ନେବେ ନାହିଁ । ମାତ୍ର କିଛି କ୍ରିକେଟ୍ ପଣ୍ଡିତଙ୍କ ମତ ଫିଟନେସକୁ ଦୃଷ୍ଟିରେ ରଖି ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ ରୋହିତଙ୍କୁ ସନ୍ନ୍ୟାସ ନେଇଯିବା ଉଚିତ୍ । ତେବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସଙ୍କ କହିବା କଥା ରୋହିତ ଶର୍ମାଙ୍କୁ କୌଣସି ବି ସମାଲୋଚନାକୁ ଗ୍ରହଣ କରିବା ଉଚିତ୍ ନୁହେଁ ।
ରୋହିତଙ୍କ ଦିନିକିଆ କ୍ରିକେଟରେ ସବୁ ଅଧିନାୟକଙ୍କ ତୁଳନାରେ ବିଜୟ ପ୍ରତିଶତ ଅଧିକ ରହିଛି । ସେ ଏକରୁ ଅଧିକ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିବାରେ ଦ୍ୱିତୀୟ ଭାରତୀୟ ଅଧିନାୟକ ହେବାର ଗୌରବ ଅର୍ଜନ କରିଛନ୍ତି । ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଆଲୋଚନା କରି ଡିଭିଲିୟର୍ସ କହିଛନ୍ତି ଯେ, ଅନ୍ୟ ଅଧିନାୟକଙ୍କ ତୁଳନାରେ ରୋହିତଙ୍କ ବିଜୟ ପ୍ରତିଶତ ଦେଖନ୍ତୁ । ଏହା ପାଖାପାଖି ୭୪ ପ୍ରତିଶତ ହେବ, ଯାହା ଅନ୍ୟ କୌଣସି ଅଧିନାୟକ ତୁଳନାରେ ଢେର ଅଧିକ । ଯଦି ସେ ଆଗକୁ ନିଜର ଖେଳ ଜାରି ରଖିବେ ତେବେ ଦୁନିଆର ସବୁଠୁ ଶ୍ରେଷ୍ଠ ଦିନିକିଆ ଅଧିନାୟକ ଭାବେ ଉପଲବ୍ଧି ହାସଲ କରିବେ ।
ଏହି ପୂର୍ବତନ କ୍ରିକେଟର କହିଛନ୍ତି, ରୋହିତ ନିଜ ସ୍ପଷ୍ଟ କରିଛନ୍ତି ଯେ, ସେ ଅବସର ନେଉ ନାହାନ୍ତି ଏବଂ ଗୁଜବ ପ୍ରଚାର ବନ୍ଦ କରନ୍ତୁ । ରୋହିତ କାହିଁକି ଅବସର ନେବେ ? ଜଣେ ଅଧିନାୟକ ଏବଂ ଖେଳାଳି ଭାବେ ତାଙ୍କର ରେକର୍ଡ ଚମତ୍କାର ରହିଛି । ଫାଇନାଲରେ ୮୩ ବଲରୁ ୭୬ ରନ କରି ଭାରତକୁ ଦମଦାର ଆରମ୍ଭ ଦେଇଥିଲେ । ସେ ଦଳ ବିଜୟର ମୂଳଦୁଆ ପକାଇଥିଲେ ।
ଡିଭିଲିୟର୍ସ କହିଛନ୍ତି, ରୋହିତ ଶର୍ମା ନିଜର ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ କରିଛନ୍ତି । ତାଙ୍କର ଅବସର ନେବାର କୌଣସି କାରଣ ହିଁ ନାହିଁ । କୌଣସି ସମାଲୋଚନାକୁ ସେ ଶୁଣନ୍ତୁ ନାହିଁ । ଯଦି ତାଙ୍କର ପାୱାରପ୍ଲେକୁ ଦେଖିବା ତେବେ ୨୦୨୨ରୁ ୧୧୫ ଷ୍ଟ୍ରାଇକରେଟରେ ବ୍ୟାଟିଂ କରୁଛନ୍ତି । ଏହା ତାଙ୍କ ସାମର୍ଥ୍ୟକୁ ଦର୍ଶାଉଛି ବୋଲି ମିଷ୍ଟର ୩୬୦ କହିଛନ୍ତି ।