ନୂଆଦିଲ୍ଲୀ: ଚଳିତ ବର୍ଷର ଚାମ୍ପିଅନ୍ସ ଟ୍ରଫି ଶେଷ ହୋଇଛି । ଏବେ କ୍ରିକେଟ୍ ପ୍ରେମୀ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସିଜିନକୁ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି । ସମସ୍ତ ୧୦ଟି ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କେବଳ ଦିଲ୍ଲୀ କ୍ୟାପିଟାଲ୍ସ ବାଦ ଦେଲେ ଅନ୍ୟ ଦଳଗୁଡ଼ିକ ନିଜର ଅଧିନାୟକ ବାଛି ସାରିଛନ୍ତି । ଦିଲ୍ଲୀର କ୍ୟାପିଟାଲ୍ସର ପରବର୍ତ୍ତୀ ମଙ୍ଗୁଆଳ କେ ଏଲ ରାହୁଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସେ ଅଧିନାୟକ ପଦ ସମ୍ଭାଳିବେ ନାହିଁ ବୋଲି ମନା କରିଦେଇଛନ୍ତି । ଏବେ ତାଙ୍କ ପରିବର୍ତ୍ତେ ଦଳ କାହାକୁ ଏହି ପଦର ଦାୟିତ୍ୱ ଦେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ମଧ୍ୟରେ ଅଧିନାୟକ ଅଦଳବଦଳ ହୋଇଯାଇଛି । ଏପର୍ଯ୍ୟନ୍ତ ଦିଲ୍ଲୀର ଅଧିନାୟକ ଦାୟିତ୍ୱ ରିଷଭ ପନ୍ତଙ୍କ ହାତରେ ଥିଲା । କିନ୍ତୁ ଏଥର ଦିଲ୍ଲୀ ବହୁ ଚେଷ୍ଟା ସତ୍ତ୍ୱେ ରିଷଭଙ୍କୁ ନିଜ ଅକ୍ତିଆରକୁ ଆଣି ପାରି ନାହିଁ । ପନ୍ତଙ୍କୁ ଲକ୍ଷ୍ନୌ ସୁପରଜିଆଣ୍ଟସ୍ କିଣି ନେଇଛି । ସେପଟେ ଲକ୍ଷ୍ନୌର ଅଧିନାୟକ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସକୁ ଯାଇଛନ୍ତି । ରାହୁଲଙ୍କୁ ଅଧିନାୟକତ୍ୱ ପାଇଁ ଦାବିଦାର ବିବେଚନା କରାଯାଉଥିଲା, କିନ୍ତୁ ସେ ଆଉ ଏହି ଦାୟିତ୍ୱ ତୁଲାଇବେ ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ରାହୁଲଙ୍କ ବଦଳରେ କିଏ ଏହି ଦାୟିତ୍ୱ ନେବେ । ଏହି ଦୌଡ଼ରେ ଅକ୍ଷର ପଟେଲ ପ୍ରବଳ ଦାବିଦାର ରହିଛନ୍ତି । ସେ ଅଧିନାୟକ ପଦ ସମ୍ଭାଳିବାର ଯଥେଷ୍ଟ ସମ୍ଭାବନା ରହିଛି । ନ୍ୟୁଜ୍ ଏଜେନ୍ସି ଆଇଏଏନଏସ ତାର ରିପୋର୍ଟରେ କହିଛି, "ହଁ, ଅକ୍ଷର ପଟେଲ ଆଇପିଏଲ-୨୦୨୫ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି। ଫ୍ରାଞ୍ଚାଇଜ୍ କେଏଲ ରାହୁଲଙ୍କୁ ଅଧିନାୟକ ହେବା ବିଷୟରେ ପଚାରିଥିଲା, କିନ୍ତୁ ସେ କହିଛନ୍ତି ଯେ ସେ ଜଣେ ଖେଳାଳି ଭାବରେ ଦଳରେ ଅବଦାନ ରଖିବେ।" ତେଣୁ ଏଥିରୁ ସ୍ପଷ୍ଟ ହୋଇଛି କେ ଏଲ୍ ରାହୁଲ ଅଧିନାୟକ ହେବେ ନାହିଁ ।
ଅକ୍ଷର ପଟେଲ ୨୦୧୯ ମସିହାରୁ ଦିଲ୍ଲୀରେ ଅଛନ୍ତି। ତାଙ୍କୁ ଦିଲ୍ଲୀ ୧୮ କୋଟି ଟଙ୍କାରେ କିଣିଥିଲା । ସେ ସମ୍ପ୍ରତି ଚାମ୍ପିଅନ୍ସ ଟ୍ରଫିରେ ଏକ ଦୃଢ଼ ପ୍ରଦର୍ଶନ ଦେଖାଇଥିଲେ । ଅକ୍ଷର ଦଳର ସଫଳତାରେ ବ୍ୟାଟିଂ ଏବଂ ବୋଲିଂରେ ଉଭୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ସେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜରେ ଭାରତର ଉପ-ଅଧିନାୟକ ମଧ୍ୟ ଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିବା ଇଂଲଣ୍ଡର ଖେଳାଳୀ ହ୍ୟାରି ବ୍ରୁକ୍ ଆଇପିଏଲରୁ ନିଜ ନାମ ପ୍ରତ୍ୟାହୃତ କରି ନେଇଛନ୍ତି । ସେ ଏହାର କୌଣସି କାରଣ ଦେଇ ନାହାଁନ୍ତି ।