ଦୁବାଇ: ଭାରତୀୟ ଦଳ ଦୁବାଇରେ ଖେଳା ଯାଇଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ଚାମ୍ପିଅନ ହୋଇଛି । ଏଥିସହ ୨୫ ବର୍ଷ ତଳର ପୁରୁଣା ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇ ପାରିଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳର ଏହି ଐତିହାସିକ ବିଜୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପିଏମ ମୋଦୀ ଲେଖିଛନ୍ତି ଯେ, ଆମର କ୍ରିକେଟ୍ ଦଳ ଉପରେ ଆମେ ଗର୍ବିତ ।
ପିଏମ ମୋଦୀ ଏକ୍ସରେ ଲେଖିଛନ୍ତି, ଏକ ଅସାଧାରଣ ଖେଳ ଏବଂ ଏକ ଅସାଧାରଣ ପରିଣାମ ! ଆଇସିସି ଚାମ୍ପିଅନ୍ସ ଟ୍ରଫି ଘରକୁ ଆଣିଥିବାରୁ ଆମର କ୍ରିକେଟ୍ ଦଳ ଉପରେ ଆମେ ଗର୍ବିତ । ପୂରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍ । ଆମ ଦଳକୁ ବିଜୟର ଶୁଭକାମନା ।
ବିିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଭାରତୀୟ କ୍ରିକେଟ୍ ଦଳକୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ଦମଦାର ବିଜୟ, ଖେଳାଳି । ଆପଣଙ୍କ ମଧ୍ୟରୁ ପ୍ରତିଟି ଖେଳାଳି କୋଟି କୋଟି ଭାରତୀୟଙ୍କ ହୃଦୟକୁ ଗର୍ବରେ ଭରି ଦେଇଛି । ଟୁର୍ଣ୍ଣାମେଣ୍ଟରେ ଦଳର ଦମଦାର ପ୍ରଦର୍ଶନ । ପ୍ରେଣଦାୟକ, ଅଭିନନ୍ଦନ ଚାମ୍ପିଅନ ଟିମ୍ । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଐତିହାସିକ ବିଜୟ ଚାମ୍ପିଅନ୍ସ ଦଳ ଅଭିନନ୍ଦନ । ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।
ଇତିହାସ ରଚିଛି ଭାରତୀୟ କ୍ରିକେଟ୍ ଦଳ । ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ଚାମ୍ପିଅନ୍ସ ହୋଇଛି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ । ୧୦ ମାସ ଭିତରେ ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଆଇସିସି ଟାଇଟଲ୍ ଜିତିବାରେ ସଫଳ ହୋଇଛି । ଏଥିସହ ୨୫ ବର୍ଷ ପୁରୁଣା ୨୦୦୦ ମସିହା ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତୀୟ ଦଳ । ୧୨ ବର୍ଷ ପରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜତିବାରେ ସଫଳ ହୋଇଛି ।