ନୂଆଦିଲ୍ଲୀ: ଯାହା ସନ୍ଦେହ କରାଯାଉଥିଲା ତାହାହିଁ ହୋଇଛି । ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇ ଆଗାମୀ ଇଣ୍ଡିଆନ୍ ପ୍ରମିୟର ଲିଗ୍-୨୦୨୫ ସିଜିନର ମୁକାବିଲା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ତାର ଅଧିନାୟକ ନାଁ ଘୋଷଣା କରିଛି । ଟିମ୍ ପକ୍ଷରୁ ଅକ୍ଷର ପଟେଲ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏ ନେଇ ଟିମ୍ ପକ୍ଷରୁ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ଭିଡ଼ିଓ ଜରିଆରେ ସୂଚନା ଦିଆଯାଇଛି ।
ତେବେ ଅକ୍ଷରଙ୍କ ପାଇଁ ଦିଲ୍ଲୀର କ୍ୟାପଟେନ୍ ଦାୟିତ୍ୱ ନୂଆ ନୁହେଁ । ସେ ଗତ ସିଜିନରେ ଦଳର ଉପ-ଅଧିନାୟକ ଭାବେ ଦାୟିତ୍ୱ ବହନ କରିଥିବାବେଳେ ରିଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ବାସନ୍ଦ କରାଯାଇଥିଲା, ସେତେବେଳେ ଦଳର ଅଧିନାୟକ ହେବାର ମଧ୍ୟ ସୁଯୋଗ ହାସଲ କରିଥିଲେ । ତେବେ ଚଳିତ ସିଜିନରେ ରିଷଭ ପନ୍ତ ଲକ୍ଷ୍ନୌ ଟିମକୁ ଚାଲିଯାଇଛନ୍ତି । ଏହା ପରେ କେ ଏଲ ରାହୁଲଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ରାହୁଲ କ୍ୟାପଟେନ୍ ହେବାକୁ ମନା କରିଦେବାରୁ ଅକ୍ଷରଙ୍କୁ ଏହି ଦାୟିତ୍ୱ ମିଳିଛି ।
ସେପଟେ ଅଧିନାୟକ ହେବା ପରେ ଅକ୍ଷର ବହୁତ ଖୁସି ଥିବା ଦେଖାଯାଇଛି । ସେ କହିଛନ୍ତି, "ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ହୋଇଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ ଏବଂ ମୋ ଉପରେ ବିଶ୍ୱାସ ରଖିଥିବାରୁ ଦଳର ମାଲିକ, ପ୍ରଶିକ୍ଷକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।"
ଅକ୍ଷର ୨୦୧୯ ମସିହାରୁ ଦଳ ସହିତ ଅଛନ୍ତି । ସେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ (ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ)ରୁ ଏହି ଦଳକୁ ଆସିଥିଲେ। ସେବେଠାରୁ ସେ ଦଳ ପାଇଁ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି ।୧୭ ବର୍ଷର ସିଜିନ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲସ ଏ ପର୍ଯ୍ୟନ୍ତ ଥରେ ମଧ୍ୟ ବିଜୟର ସ୍ୱାଦ ଚାଖି ନାହିଁ । କିନ୍ତୁ ଦଳ ମାତ୍ର ଥରୁଟିଏ ପାଇଁ ୨୦୨୦ରେ ଫାଇନାଲ ଖେଳିବାର ସୁଯୋଗ ପାଇଛି ଏବଂ ଅକ୍ଷର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଫ୍ରାଞ୍ଚାଇଜ୍ କୁ ବହୁତ ଭଲ ଭାବରେ ଜାଣନ୍ତି ଏବଂ ବୁଝନ୍ତି ଏବଂ ଏହା ଦଳକୁ ଲାଭ ଦେବ।