ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କୁସ୍ତର୍କ ଅଞ୍ଚଳରେ ଲଢେଇ କରୁଥିବା ୟୁକ୍ରେନ ସୈନିକଙ୍କୁ ଆତ୍ମ ସମର୍ପଣ କରିବାକୁ କହିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅପିଲ୍ ପରେ ପୁଟିନ ଏହି ବୟାନ ଦେଇଛନ୍ତି । ରୁଷ ରାଷ୍ଟ୍ରପତି ଶୁକ୍ରବାର ଘୋଷଣା କରିଛନ୍ତି ଯେ, ଯଦି କୁସ୍ତର୍କ କ୍ଷେତ୍ରରେ ୟୁକ୍ରେନ ସେନା ଆତ୍ମ ସମର୍ପଣ କରନ୍ତି ତେବେ ଆମେ ଜୀବିତ ଓ ସମ୍ମାନଜନକ ବ୍ୟବହାରର ଗ୍ୟାରେଣ୍ଟି ଦେଉଛୁ ।
ପୁଟିନ ଟେଲିଭିଜନରେ ଦେଇଥିବା ନିଜ ବିବୃତିରେ କହିଛନ୍ତି ଯେ, ଆମେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧ ପ୍ରତି ସହାନୁଭୂତି ବ୍ୟକ୍ତ କରୁଛୁ । ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସରକାରଙ୍କୁ ନିଜ ସୈନିକଙ୍କ ପାଇଁ ଆତ୍ମସମର୍ପଣ ଆଦେଶ ଜାରି କରିବାକୁ କହିଛନ୍ତି । ଯଦି ୟୁକ୍ରେନ ସେନା ସମର୍ପଣ କରନ୍ତି ତେବେ ସେମାନଙ୍କର କୌଣସି କ୍ଷତି ହେବାର ଦିଆଯିବ ନାହିଁ । ଏବେ ଦେଖିବାକୁ ବାକି ରହିଲା ଯେ, ୟୁକ୍ରେନ ଏହା ଉପରେ କଣ ପ୍ରତିକ୍ରିୟା ଦେଉଛି ।
ଗୁରୁବାର ରାତିରେ ମସ୍କୋରେ ପୁଟିନ ଓ ଟ୍ରମ୍ପଙ୍କ ଦୂତ ଷ୍ଟିଭ ୱିଟକଫଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ ଟ୍ରମ୍ପ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ ଯେ, ମୁଁ ରା ଷ୍ଟ୍ରପତି ପୁଟିନଙ୍କୁ ଦୃଢତାର ସହ ଅନୁରୋଧ କରୁଛି ଯେ, ୟୁକ୍ରେନ ସେନାକୁ ଛାଡି ଦିଅନ୍ତୁ । ଏହା ଏକ ଭୟାନକ ନରସଂହାର ହୋଇପାରେ, ଯାହା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରଠୁ ଦେଖିବାକୁ ମିଳିନି । ଭଗବାନ ସଭିଙ୍କୁ ଆଶୀର୍ବାଦ ଦିଅନ୍ତୁ ।
ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ଯୁଦ୍ଧ ସମାପ୍ତ ହେବାର ସମ୍ଭାବନା ବଢିବାରେ ଲାଗିଛି । ହଜାର ସଂଖ୍ୟକ ୟୁକ୍ରେନୀ ସୈନିକ ରୁଷ ସେନା ଦ୍ୱାରା ଘେରି ହୋଇ ଯାଇଛନ୍ତି ଏବଂ ବହୁତ ଦୁର୍ବଳ ସ୍ଥିତିରେ ଅଛନ୍ତି । ସେ ପୁଟିନଙ୍କୁ ୟୁକ୍ରେନୀ ସୈନିକଙ୍କୁ ସୁରକ୍ଷିତ ଭାବେ କାଢିବାକୁ ଅପିଲ୍ କରିଛନ୍ତି । ଟ୍ରମ୍ପ ଓ ପୁଟିନଙ୍କ ସଦ୍ୟତମ ବୟାନ ୟୁକ୍ରେନ ଯୁଦ୍ଧରେ ଶାନ୍ତି ସମ୍ଭାବନା ସଙ୍କେତ ମିଳିଛି ।