ନୂଆଦିଲ୍ଲୀ: ଯେବେ ବି ପାକିସ୍ତାନ ଭାରତ ସହ ଲଢିବାର ଦୁଃସାହସ କରିଛି ପ୍ରତିଥର ମୁହଁତୋଡ ଜବାବ ପାଇଛି । ଏଥର ବି ପାକିସ୍ତାନକୁ ଭାରତ ଉଚିତ୍ ଶିକ୍ଷା ଦେଉଛି । ଉଲ୍ଲେଖନୀୟ ପାକିସ୍ତାନ ଭାରତ ବିରୋଧରେ ଚୀନର ଲଢୁଆ ବିମାନର ବ୍ୟବହାର କରିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଦାବି କରିଥିଲେ ଯେ, ହମଲାରେ ବ୍ୟବହୃତ ଚୀନର ଲଢୁଆ ବିମାନ ବିଷୟରେ ଚୀନକୁ ସୂଚନା ଦିଆଯାଇଛି ।
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଭାରତ-ପାକିସ୍ତାନ ବିବାଦରେ ଚୀନ୍ ଜେଟ୍ ସମ୍ପୃକ୍ତ ଅଛି କି ନାହିଁ ଚୀନ୍ ବୈଦେଶିକ ମନ୍ତ୍ରଣାଳୟକୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ଚୀନ ମନ୍ତ୍ରଣାଳୟ କହିଛି ଯେ ଏ ବିଷୟରେ ତାଙ୍କ ନିକଟରେ ସୂଚନା ନାହିଁ । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ ବେଜିଂରେ ଏକ ନିୟମିତ ଗଣମାଧ୍ୟମ ବ୍ରିଫିଂରେ ଏହା କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି ବିବୃତ୍ତି ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କ ଦାବିର ସମ୍ପୂର୍ଣ୍ଣ ବିପରୀତ ରହିଛି ।
ଭାରତ ବିରୋଧରେ ଆକ୍ରମଣରେ ପାକିସ୍ତାନ ଚୀନ୍ ଯୁଦ୍ଧ ବିମାନ ବ୍ୟବହାର କରିଥିଲା କିନ୍ତୁ ଭାରତୀୟ ବାୟୁସେନା ଏବଂ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆଗରେ ଚୀନର ଲଢୁଆ ବିମାନ ତିଷ୍ଠି ପାରି ନାହିଁ । ପ୍ରତିଥର ପରି ଭାରତ ପାକିସ୍ତାନର ପ୍ରତ୍ୟେକ ଆକ୍ରମଣକୁ ବିଫଳ କରିବାରେ ସଫଳ ହୋଇଛି ।
ସୂଚନାଯୋଗ୍ୟ, ଅପରେସନ ସିନ୍ଦୂରରେ ହତାଶ ପାକିସ୍ତାନ ଗୁରୁବାର ସନ୍ଧ୍ୟାରେ ଜମ୍ମୁଠୁ ନେଇ ପଠାନକୋଟ୍ ଦେଇ ଜୈସଲମେର ପର୍ଯ୍ୟନ୍ତ ତିନି ରାଜ୍ୟର ଅନେକ ସହର ଉପରେ ଡ୍ରୋନ ଓ ମିସାଇଲରେ ହମଲା କରିଥିଲା । ଆଉ ଭାରତୀୟ ସେନା ଶତ୍ରୁ ଦେଶର ପ୍ରତିଟି ଦୁଃସାହସକୁ ମୁହଁତୋଡ ଜବାବ ଦେଇ ସବୁ ଉଦ୍ୟମ ପଣ୍ଡ କରିଥିଲା । ଭାରତୀୟ ନୌସେନା ପାକିସ୍ତାନର କରାଚି ପୋର୍ଟକୁ ଧ୍ୱଂସ କରିଛନ୍ତି । ନୌସେନା ସମୁଦ୍ରରୁ କରାଚି ବନ୍ଦର ଉପରେ ଘନ ଘନ ମିସାଇଲ ମାଡ କରିଛନ୍ତି । କେବଳ ଏତିକି ନୁହେଁ ଜଳ, ସ୍ଥଳ ଓ ଆକାଶଠୁ ନେଇ କୂଟନୈତିକ ସ୍ତରରେ ଭାରତ ପାକିସ୍ତାନକୁ ଘେରାବନ୍ଦୀ କରିଛି ।