ଭୁବନେଶ୍ୱର: ଆଜି ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ୍ ପରିସରରେ ୭୭ ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟବଲ ପ୍ରତିଯୋଗିତା-୨୦୨୫ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ କ୍ରାଇମବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ଶ୍ରେଷ୍ଠ କ୍ରୀଡାବିତମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।
ଏହି ଚାମ୍ପିଅନସିପରେ ବିଭିନ୍ନ ଜିଲ୍ଲା ପୋଲସି, ବାଟାଲିୟନସ ଏବଂ ୟୁନିଟସର ୨୫ ଟି ପୋଲିସ ଭଲିବଲ ଟିମ ଓ ୪ଟି ବାସ୍କେଟବଲ ଟିମରୁ ମୋଟ ୪୨୯ ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଭଲିବଲ ପ୍ରତିଯୋଗିତାରେ କମିଶନରେଟ୍ ପୋଲିସ-ବି ଟିମ ବିଜେତା ଟିମ ହୋଇଛି । ବାଲେଶ୍ଵର ଟିମ ଦ୍ୱିତୀୟରେ ରହି ରନର୍ସଅପ ହୋଇଥିଲା। ମୟୂରଭଞ୍ଜ ଟିମ ବ୍ରୋଞ୍ଜ ମେଡାଲ ଟିମ ହୋଇଥିଲା । ସେହିପରି ୪ର୍ଥ ଆଇଆର ବାଟାଲିୟନ, ଦେଓଗଡକୁ ଶ୍ରେଷ୍ଠ ଶୃଙ୍ଖଳା ଟିମ ଭାବେ ପୁରସ୍କୃତ କରାଯାଇଛି ।
ବାଲେଶ୍ଵର ଜିଲ୍ଲାର କନେଷ୍ଟବଳ ରାଜେଶ କୁମାର ସାହୁ ଶ୍ରେଷ୍ଠ ଆଟାକର୍, ଓଆଇଏସଏଫ, ଭୁବନେଶ୍ବର ଦଳର କନେଷ୍ଟବଳ ମହେଶ୍ଵର ଗୋଛାୟତ ଶ୍ରେଷ୍ଠ ସେଟର୍ ଏବଂ ମୟୂରଭଞ୍ଜ ଦଳର କନେଷ୍ଟବଳ ଅଞ୍ଜନ ବେହେରାଙ୍କୁ ଶ୍ରେଷ୍ଠ ଲିବେରୋ, କମିଶନରେଟ୍ ପୋଲିସର-ବି ଟିମର ସିପାହୀ ଅଜିତ କୁମାର ମୁଦୁଲି ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ ।
ସେହିପରି ବାସ୍କେଟବଲ ପ୍ରତିଯୋଗୀତାରେ ଓଏସଏପି ଷଷ୍ଠ ବାଟାଲିୟନ ଚାମ୍ପିୟନ ଟିମ ହୋଇଥିଲା ବେଳେ, କମିଶନରେଟ୍ ପୋଲିସ-ଏ ଟିମ ରନର୍ସଅପ ହୋଇଥିଲା। ଓଏସଏପି ଅଷ୍ଟମ ବାଟାଲିୟନ, ଛତ୍ରପୁର ହାର୍ଡ ଲାଇନ ଟିମ, ରାଉରକେଲା ପୋଲିସ ଟିମ ଶ୍ରେଷ୍ଠ ଶୃଙ୍ଖଳା ଟିମ ଭାବେ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗୀତାରେ ବେଷ୍ଟ ସ୍କୋରର ଭାବେ ଓଏସଏପି ଷଷ୍ଠ ବାଟାଲିୟନର, ହାବିଲଦାର କାର୍ତିକ ବେହେରା, ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ଓଏସଏପି ଅଷ୍ଟମ ବାଟାଲିୟନ, ଛତ୍ରପୁରର ସିପାହୀ ଅଭିଷେକ ପଶୁପାଳକ ଏବଂ ଓଏସଏପି ଷଷ୍ଠ ବାଟାଲିୟନ, କଟକର ସିପାହୀ ସଂଜୀବ ବେହୁରା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।
ମୁଖ୍ୟ ଅତିଥି ବିନୟତୋଷ ମିଶ୍ର ଆଗାମୀ ଦିନରେ ଉତ୍କର୍ଷତା ପ୍ରଦର୍ଶନ କରିବା ସହ ଓଡିଶା ପୋଲିସର ସୁନାମ ବଢାଇବାକୁ ଖେଳାଳୀଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ଉଦଯାପନୀ ଉତ୍ସବରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ ବୋଥ୍ରା, ଆଇଜିପି ଗଜଭିୟେ ସତୀଶ କୁମାର, ଡିଆଇଜିପି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜିପି (କ୍ରାଇମ ବ୍ରାଞ୍ଚ) ବାତୁଳା ଗଙ୍ଗାଧରଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ପୋଲିସ ଅଧିକାରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଶେଷରେ ଷଷ୍ଠ ବାଟାଲିୟନର କମାଣ୍ଡାଣ୍ଟ ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନ୍ଧାତା ସାଇ, ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡ଼ା ଅଧିକାରୀ ନୀଳ ମାଧବ ସ୍ଵାଇଁ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।