ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛନ୍ତି ସାମ୍ବାଦିକ। ସାମ୍ବାଦିକମାନେ ସତ୍ୟକୁ ସାମ୍ନାକୁ ଆଣିବାକୁ ଏବଂ ସେମାନଙ୍କର ଦାୟିତ୍ୱକୁ ଠିକ୍ ଭାବେ ପୂରଣ କରିବାକୁ ନିଜ ଜୀବନକୁ ବିପଦରେ ପକାଇବାକୁ ଦ୍ୱିଧା କରନ୍ତି ନାହିଁ। ଅନେକ ସମୟରେ ସାମ୍ବାଦିକମାନେ ଆକ୍ରମଣର ଶିକାର ହୁଅନ୍ତି। ନିଜ ଜୀବନକୁ ବାଜି ଲଗେଇ କାମ କରୁଥିବା ସାମ୍ବାଦିକଙ୍କ ସ୍ୱରକୁ ଯେପରି କୌଣସି ପ୍ରଭାବ ଦାବି ନଦିଏ ଏନେଇ ସେମାନଙ୍କୁ ସ୍ୱାଧୀନତା ଦେବା ଅତ୍ୟନ୍ତ ଜରୁରୀ। ପୂର୍ଣ୍ଣ ସ୍ୱାଧୀନତା ପରେ ସେମାନେ ସେମାନଙ୍କର କାମକୁ ସୂଚାରୁ ରୂପେ କରିବାକୁ ସମର୍ଥ ହେବେ। ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୩ ମେ’ରେ ‘ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ’ ପାଳନ କରାଯାଏ।
୧୯୯୧ ମସିହାରେ ପ୍ରଥମ ଥର ପାଇଁ ଆଫ୍ରିକୀୟ ସାମ୍ବାଦିକମାନେ ଗଣମାଧ୍ୟମର ସ୍ୱାଧୀନତା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ମେ ୩ରେ ଗଣମାଧ୍ୟମର ସ୍ୱାଧୀନତାର ନୀତି ସମ୍ବନ୍ଧରେ ଏକ ବିବୃତ୍ତି ଜାରି କରାଯାଇଥିଲା ଏହାକୁ ୱିଣ୍ଡ୍ହୋକ୍ ଘୋଷଣାନାମା କୁହାଯାଏ। ତେବେ ଏହାର ଦୁଇ ବର୍ଷ ପରେ ଅର୍ଥାତ ୧୯୯୩ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ପ୍ରଥମ ଥର ପାଇଁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରିବାକୁ ଘୋଷଣା କଲା। ସେବେଠାରୁ ମେ ୩କୁ ‘ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ’ ଭାବେ ପାଳନ କରାଯାଏ।