ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ତିଥି । ସାରା ଦେଶରେ ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରାଯାଉଥିବା ବେଳେ ରାମନବମୀ ପାଇଁ ଅଯୋଧ୍ୟାରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏବଂ ରାମ ନବମୀକୁ ଦୃଷ୍ଟିରେ ରଖି ଆଜି ୧୯ ଘଣ୍ଟା ମନ୍ଦିର ଖୋଲା ରହିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ମଙ୍ଗଳଲାର ରାତି ୩ ଟା ୩୦ ରୁ ବୁଧବାର ରାତି ୧୧ ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିବ । ଏବଂ ରାମ ନବମୀ ଉପଲକ୍ଷେ ଭକ୍ତଙ୍କ ପ୍ରବଳ ଗହଳି ହୋଇଥିବାରୁ , ଭକ୍ତମାନେ କିପରି ସୁରୁଖୁରୁରେ ପ୍ରଭୁ ରାମ ଲାଲାଙ୍କୁ ଦର୍ଶନ କରିପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏବଂ ଦର୍ଶନ ସମୟରେ ସାଙ୍ଗରେ ମୋବାଇଲ କିମ୍ବା ଅନ୍ୟ ସରଞ୍ଜାମ ନ ଆଣିବାକୁ ଭକ୍ତଙ୍କୁ ପରାମର୍ଶ ଦିଆଯାଇଛି। ସେପଟେ ଆଜି ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ସୂର୍ଯ୍ୟତିଳକ ହେବ । ରାମଙ୍କ ମସ୍ତକରେ ୪ ମିନିଟ ଯାଏଁ ସୂର୍ୟ୍ୟକିରଣ ପଡିବ। ସାରା ଦେଶ ଏହି ଅଭୁତ ଦୃଶ୍ୟକୁ ଦେଖିବାକୁ ଚାହିଁ ରହିଛି।