ନିର୍ବାଚନକୁ କିଛିଦିନ ବାକି ଥିବା ବେଳେ ନିର୍ବାଚନ ଉଲ୍ଲଂଘନ ମାମଲା ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ଅଭିଯୋଗ ଆପ ‘ସି-ଭିଜିଲ୍’ ରେ ୭୯ ହଜାରରୁ ଅଧିକ ଉଲ୍ଲଂଘନ ମାମଲା ରୁଜୁ ହୋଇଛି । ନିର୍ବାଚନ ଆୟୋଗ ଦ୍ୱାରା ଜାରି ସୂଚନାରେ କୁହାଯାଇଛି ଯେ ୯୯ ପ୍ରତିଶତରୁ ଅଧିକ ଅଭିଯୋଗର ସମାଧାନ ହୋଇଛି ଏବଂ ୮୯ ପ୍ରତିଶତ ଅଭିଯୋଗର ସମାଧାନ ୧୦୦ ମିନିଟ୍ ମଧ୍ୟରେ ହୋଇଛି । ବିବୃତିରେ ଆହୁରି ମଧ୍ୟ କୁହାଯାଇଛି ଯେ ୫୮,୫୦୦ରୁ ଅଧିକ ଅଭିଯୋଗ, ଯାହା କି ମୋଟ ଅଭିଯୋଗର ୭୩% , ବେଆଇନ ହୋର୍ଡିଂ ଏବଂ ବ୍ୟାନର ସହିତ ଜଡିତ । ଟଙ୍କା, ଉପହାର ଓ ମଦ ବଣ୍ଟାକୁ ନେଇ ୧୪୦୦ରୁ ଅଧିକ ଅଭିଯୋଗ ରହିଛି । ଗାଳି ଗୁଲଜ କରିବାର ୫୩୫ଟି ଅଭିଯୋଗ ମଧ୍ୟରୁ ୫୨୯ଟି ସମାଧାନ ହୋଇଛି । ଏହାବ୍ୟତୀତ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ପ୍ରଚାର ପାଇଁ ୧୦୦୦ ଅଭିଯୋଗ ଦାଖଲ କରାଯାଇଥିଲା, ଯେଉଁଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍ପିକର ବ୍ୟବହାର ମଧ୍ୟ ସାମିଲ ଥିଲା ।
ସି-ଭିଜିଲ୍ ଆପ୍ ଜରିଆରେ ନିର୍ବାଚନ ପ୍ରକ୍ରିୟା ଉପରେ ନିର୍ବାଚନ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ରେକର୍ଡିଂ, ରିପୋର୍ଟିଂ ଏବଂ ସମାଧାନ ପାଇଁ ଏହି ଆପ୍ କାର୍ଯ୍ୟ କରୁଛି । ଏହି ଆପ୍ ଜରିଆରେ ଫଟୋ, ଭିଡିଓ ଇତ୍ୟାଦି ଉଠାଇ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କରେ ଅନଲାଇନ୍ ଅଭିଯୋଗ କରାଯାଇପାରିବ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନାଗରିକମାନଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କିମ୍ବା ଭୋଟରଙ୍କୁ ଦିଆଯାଇଥିବା କୌଣସି ପ୍ରଲୋଭନ ବିଷୟରେ ଜଣାଇବା ପାଇଁ ଏହି ଆପ୍ ବ୍ୟବହାର କରିବାକୁ ମନ୍ତବ୍ୟ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ : ନିଲମ୍ବିତ ହେଲେ ପାଇଲଟ୍