ରାଜ୍ୟରେ ଅସହ୍ୟ ତାତି । ପ୍ରଚଣ୍ଡ ରୌଦ୍ରତାପ ପାଇଁ ଅସ୍ତଵ୍ୟସ୍ତ ହେଉଛି ଜନଜୀବନ । ସକାଳୁ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଆନୁଭୂତ ହେଉଛି । ଦିନ ୧୧ ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ତେବେ ଆଗକୁ ଆହୁରି ୩ ଦିନ ତାତି ଅସମ୍ଭାଳ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟକୁ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରୁ ଉଷ୍ମ ବାୟୁ ପ୍ରବାହ ହେଉଥିବାରୁ ତାତି ବଢ଼ିବାରେ ଲାଗିଛି ।
ରବିବାର ୨୭ ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ଏଥିସହ ୧୨ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା । ଲଗାତାର ୩ ଦିନ ଧରି ଅନୁଗୁଳ ୪୩ ଡିଗ୍ରୀ ସହ ଉତପ୍ତ ସହର ରେକର୍ଡ ହୋଇଥିଲା । ତେବେ ଆଗାମୀ ୨ ଦିନ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ନୟାଗଡ଼, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ କିଛି ସ୍ଥାନରେ ୪୫ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି । ଏନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।