ଦୁର୍ଘଟଣାଗ୍ରସ୍ତ ହେଲା ସୁରକ୍ଷାକର୍ମୀଙ୍କ ବସ୍। ଏହି ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ । ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍କୁ ପଛ ପଟୁ ଧକ୍କା ଦେଲା କଣ୍ଟେନର୍। ଡ୍ରାଇଭରଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଯାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରରେ ।
ସୂଚନା ଅନୁଯାୟୀ,ନିର୍ବାଚନ ଡ୍ୟୁଟି କରିବା ପାଇଁ ବିହାର ଗୋପାଳଗଞ୍ଜରୁ ୨୪୨ ଜଣ ପୁଲିସ କର୍ମୀ ଓ ଯବାନ ତିନୋଟି ବସ୍ରେ ସୁପୋଲା ଯାଉଥିଲେ। ବାରହିମା ଟର୍ନ ନିକଟରେ ବସ୍ କିଛି ସମୟ ପାଇଁ ଅଟକିଥିଲା । ସେହି ସମୟରେ ଏକ କଣ୍ଟେନର ଦ୍ରୁତ ଗତିରେ ଆସୁଥିଲା । ଦ୍ରୁତ ଗତି କଣ୍ଟ୍ରୋଲ ନ ହେବାରୁ ସୁରକ୍ଷାକର୍ମୀଙ୍କ ବସ୍କୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଏଥିସହ ୧୨ରୁ ଅଧିକ ପୁଲିସକର୍ମୀ ଗୁରୁତର ହୋଇଛନ୍ତି। ସେମାନେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ।