ଖବର ଓଡ଼ିଶା: ସାଇବର ଅପରାଧ ଦୁନିଆରେ ସିବିଆଇକୁ ଏକ ବଡ଼ ସଫଳତା ମିଳିଛି । ସାଇବର ଅପରାଧ ମାମଲାରେ ସିବିଆଇ ୪୩ ଜଣ ସାଇବର ଅପରାଧୀଙ୍କୁ ବାନ୍ଧିଛି । ଦିଲ୍ଲୀ, ଗୁରୁଗ୍ରାମ ଏବଂ ନୋଏଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସିବିଆଇ ଏହି ସଫଳତା ହାସଲ କରିଛି । ଏହା ସହିତ ଗୁରୁଗ୍ରାମର ଡିଏଏଲ୍ଏଫ୍ ସାଇବର ସିଟିରୁ ହେଉଥିବା କଲ୍ ର ମଧ୍ୟ ସୂଚନା ମିଳିଛି । ଏହିଠାରୁ ଆମେରିକା ସହ ଅନ୍ୟ ଦେଶର ନାଗରିକଙ୍କ ସହିତ ବଡ଼ ବଡ଼ ଠକେଇ ହେଉଥିଲା ।
ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଅପରେସନ୍ ଚକ୍ର -୩ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୨୦୨୨ପରଠାରୁ ଏଠାରେ କଲ୍ ସେଣ୍ଟର କାର୍ଯ୍ୟ କରୁଥିଲା । ସେମାନଙ୍କର ନେଟୱାର୍କ ଅନେକ ଦେଶରେ ବିସ୍ତାର ହୋଇଥିଲା । ଏଫବିଆଇ ଏବଂ ଇଣ୍ଟରପୋଲ ଏହି ମାମଲାରେ ସଠିକ୍ ଇନପୁଟ ଦେଇଥିଲେ । ଏହା ପରେ ସିବିଆଇର ଆନ୍ତର୍ଜାତୀୟ ଅପରେସନ୍ ଡିଭିଜନ୍ ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ପଞ୍ଜିକରଣ କରି ଚଢ଼ାଉ ଆରମ୍ଭ କରିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ସାଇବର ଠକେଇର ଏହି ନେଟୱାର୍କ ଅନେକ କେନ୍ଦ୍ରରେ ପରିଚାଳିତ ହେଉଛି । ଗୁରୁଗ୍ରାମରୁ ଏହା ନିୟନ୍ତ୍ରିତ ହେଉଥିଲା । ଦିଲ୍ଲୀ, ଗୁରୁଗ୍ରାମ ଏବଂ ନୋଏଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସିବିଆଇ ୪୩ ଜଣ ସାଇବର ଅପରାଧୀଙ୍କୁ ବାନ୍ଧିଛି ।
ଅଭିଯୁକ୍ତମାନେ ସେମାନଙ୍କର ପରିଚୟ ଲୁଚାଇ ଆମେରିକୀୟ ଏବଂ ଅନ୍ୟ ଦେଶର ନାଗରିକଙ୍କ ସହ ଯୋଗାଯୋଗ କରୁଥିଲେ । ସେମାନେ ସେମାନଙ୍କୁ ନିମ ଜାଲରେ ଫସାଇ ସେମାନଙ୍କ କମ୍ପ୍ୟୁଟରରେ ଭାଇରସ୍ ସଫ୍ଟୱେର୍ ଡାଉନଲୋଡ୍ କରିବାକୁ ପପ୍-ଅପ୍ ଉପରେ କ୍ଲିକ୍ କରିବାକୁ କୁହନ୍ତି । ଯେତେବେଳେ କମ୍ପ୍ୟୁଟରରେ ଅସୁବିଧା ଦେଖାଦିଏ ଏହାକୁ ଠିକ୍ କରିବା ପାଇଁ ଟଙ୍କା ନେବେ । ଏହି ଟଙ୍କା ହଂକଂକୁ ପଠାଇ ଦିଆଯାଉଥିଲା ।
ଏହି ଚଢ଼ାଉ ସମୟରେ ଲାଇଭ ସାଇବର ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଭିଯୁକ୍ତ ଧରାପଡିଛନ୍ତି । ଘଟଣାସ୍ଥଳରୁ ମଧ୍ୟ ପ୍ରମାଣ ଜବତ କରାଯାଇଛି । ଏହି ଅପରାଧର ପେଣ୍ଠସ୍ଥଳ ଥିବା ସାଇବର ସେଲରୁ ୧୩୦ ଟି କମ୍ପ୍ୟୁଟର ହାର୍ଡ ଡିସ୍କ, ୬୫ଟି ମୋବାଇଲ୍ ଫୋନ୍, ପାଞ୍ଚଟି ଲାପଟପ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଏହା ବ୍ୟତୀତ ଠକେଇ ପାଇଁ ଟଙ୍କା ବିନିମୟ, କଲ୍ ରେକର୍ଡିଂ, ପୀଡିତଙ୍କ ତାଲିକା ଏବଂ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ଟ୍ରାନ୍ସକ୍ରିପସନ୍ ସହିତ ଅନ୍ୟାନ୍ୟ ପ୍ରମାଣ ଜବତ ହୋଇଛି ।