ରେଳ ଅନୁଦାନ ଉପରେ ରାତି ସାରା ଲୋକସଭାରେ ହେବ ଚର୍ଚ୍ଚା
Khabar Odisha:National-odisha-after-chaos-in-mps-to-speak-all-night-discussions-on-railway-grants
ନୂଆଦିଲ୍ଲୀ,ଜୁଲାଇ୧୧(ଖବର ଓଡ଼ିଶା):

ଲୋକସଭାରେ ରେଳ ବଜେଟ୍(ଅନୁଦାନ ଦାବି) ଉପରେ ଚର୍ଚ୍ଚା ପାଇଁ ଗୃହ ଗୁରୁବାର ଓ ଶୁକ୍ରବାର ରାତି ସାରା ଚାଲିବ। ବାଚସ୍ପତି ଓମ ବିର୍ଲା ଚର୍ଚ୍ଚାରେ ଭାଗ ନେବାକୁ ଇଚ୍ଛୁକ ସମସ୍ତ ସାଂସଦଙ୍କ ଦାବି ପୂରା କରିବାକୁ ଭରସା ଦେଇଛନ୍ତି। ବର୍ତ୍ତମାନ ବାଚସ୍ପତି ସମସ୍ତ ସଦସ୍ୟଙ୍କ ଇଚ୍ଛା ପୂରଣ ପାଇଁ ପ୍ରାତଃ ୩ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ କରିଛନ୍ତି। ମାତ୍ର ଇଚ୍ଛୁକ ସଦସ୍ୟଙ୍କ ସଂଖ୍ୟାକୁ ଦେଖି ଚର୍ଚ୍ଚା ନିର୍ଦ୍ଧାରିତ ସମୟରେ ପୂରା ହେବାର ଆଶା ନଜର ଆସୁନାହିଁ। ଖବର ଲେଖାଯିବା ପର୍ଯ୍ୟନ୍ତ ୭୦ ସଦସ୍ୟ ଚର୍ଚ୍ଚାରେ ସାମିଲ ହେବାକୁ ନୋଟିସ ଦେଇ ସାରିଥିଲେ।

ଲମ୍ବା ଆଲୋଚନା ପାଇଁ ବାଚସ୍ପତି ଓମ ବିରଲା ପୂରା ପ୍ରସ୍ତୁତି କରିଛନ୍ତି। ସାଂସଦଙ୍କ ପାଇଁ କ୍ୟାଣ୍ଟିନରେ ବିଳମ୍ବିତ ରାତି ଯାଏ ରାତ୍ରିଭୋଜନ ଓ ଚା-କଫିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାମ୍ବାଦିକଙ୍କ କ୍ୟାଣ୍ଟିନ ମଧ୍ୟ ରାତିସାରା ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଲୋକସଭା ସଚିବାଳୟର ସୂଚନା ମୁତାବକ ରେଳ ବଜେଟ୍ ଉପରେ ଆଲୋଚନା ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିପାରେ। 

ଲୋକସଭାରେ ରେଳ ବଜେଟ୍ ଉପରେ ସବୁଠୁ ଲମ୍ବା ଚର୍ଚ୍ଚାର କିର୍ତ୍ତୀମାନ ପିଏମ ସାଙ୍ଗମା ବାଚସ୍ପତି ଏବଂ ରାମବିଳାସ ପାସଓ୍ଵାନ ରେଳ ମନ୍ତ୍ରୀ ଥିବା ସମୟରେ ୧୯୯୬ରେ ହୋଇଛି। ସେହି ସମୟରେ ବଜେଟ୍ ଉପରେ ଚର୍ଚ୍ଚା ଜୁଲାଇ ୨୫ରୁ ଆରମ୍ଭ ହୋଇ ଜୁଲାଇ ୨୬ ସକାଳ ୭ଟା ୧୭ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ୧୧୧ ସାଂସଦ ଗୃହରେ ଉପସ୍ଥିତ ଥିଲେ। 

ଏହା ପରେ ୧୯୯୮ରେ ମଧ୍ୟ ଜିଏମସି ବାଲଯୋଗୀ ବାଚସ୍ପତି ଓ ନୀତିଶ କୁମାର ରେଳ ମନ୍ତ୍ରୀ ଥିବା ସମୟରେ ରେଳ ବଜେଟ୍ ଉପରେ ଲମ୍ବା ସମୟ ଧରି ଚର୍ଚ୍ଚା ହୋଇଥିଲା। ଜୁନ ୮ରେ ଆରମ୍ଭ ହୋଇଥିବା ଚର୍ଚ୍ଚା ଜୁନ ୯ ସକାଳ ୬ଟା ୦୪ ମିନିଟ୍ ଯାଏ ଚାଲିଥିଲା। ଏହି ସମୟରେ ୯୦ ସାଂସଦ ଗୃହରେ ଉପସ୍ଥିତ ଥିଲେ। 

Subscribe

National International State Sports Entertainment