ଗତ ଫେବୃଆରୀ ୮ ତାରିଖରେ ପାକିସ୍ତାନ ସାଧାରଣ ନିର୍ବାଚନ ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇ ଥିବା ବେଳେ ବ୍ୟାପକ ହିଂସା ଘଟଣା ମଧ୍ୟରେ ପାକିସ୍ତାନରେ ସରିଥିଲା ମତଦାନ ପ୍ରକ୍ରିୟା। ତେବେ ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ନିର୍ବାଚନୀ ମଇଦାନରେ ୪୪ ଦଳର ୫୧୨୧ ପ୍ରାର୍ଥୀ ରହିଥିଲା ବେଳେ ୨୬୬ ଆସନ ପାଇଁ ମତଦାନ ହୋଇଥିଲା। ତେବେ ପାକିସ୍ତାନ ସଂସଦର ନିମ୍ନ ସଦନ ପାଇଁ ଅନୁଷ୍ଠିତ ନିର୍ବାଚନ ଅବୈଧ ଘୋଷଣା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଫେବୃଆରୀ ୮ରୁ ନିର୍ବାଚନ ଶେଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସ୍ପଷ୍ଟ ଫଳାଫଳ ଘୋଷଣା ହୋଇନାହିଁ । ଭୋଟ ଗଣତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିବା ଯୋଗୁ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଥିଲା । ତେବେ ଏହି ମାମଲା ଉପରେ ସୋମବାର ଶୁଣାଣି ହେବ ।
ରାୱଲପିଣ୍ଡିର ପୂର୍ବତନ କମିଶନର ଲିଆକତ୍ ଅଲି ଚଟ୍ଟାହ ନିର୍ବାଚନରେ ଅନିୟମିତତା ହେବା କଥା ନେଇ ଅଭିଯୋଗ କରିଥିଲେ। ତେବେ ଏହାକୁ ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି। ଏପରିକି ଅନିମିତତାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ମୁଖ୍ୟ ବିଚାରପତି ଜଡିତ ଥିବା କୁହାଯାଉଛି । ଏ ସମ୍ପର୍କରେ ଲିଆକତ୍ ଶନିବାର ତାଙ୍କ ପଦରୁ ଇସ୍ତଫା ଦେବା ପରେ କହିଥିଲେ ଯେ ଭୋଟ ଗଣତି ପ୍ରକ୍ରିୟାରେ ଅନିୟମିତତା କରିବା, ପୂର୍ବରୁ ହାରିଥିବା ପ୍ରାର୍ଥୀଙ୍କୁ ଜିତାଇବା ଲାଗି ତାଙ୍କ ଉପରେ ଚାପ ପକାଯାଇଥିଲା । ଚାପର ବଶବର୍ତ୍ତୀ ହୋଇ ଭୁଲ କାମ କରିବାକୁ ସେ ବାଧ୍ୟ ହୋଇଥିଲେ । ତାଙ୍କ ସହିତ ଅନ୍ୟମାନେ ମଧ୍ୟ ଜଡିତ ଥିବା କଥା ସେ ସମସ୍ତଙ୍କୁ କହିଥିଲେ। ତେବେ ଲିଆକତଙ୍କ ଏପରି ଅଭିଯୋଗକୁ ପାକିସ୍ତାନ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି।
ଅଧିକ ପଢନ୍ତୁ: ଦୁରୁଆ ଜନଜାତିକୁ ମିଳିଲା ଆଦିବାସୀ ମାନ୍ୟତା