ଶୁଭିଲାଣି ଆଉ ଏକ ଯୁଦ୍ଧର ପଦଧ୍ୱନୀ । ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଆମେରିକାର ଗୁଇନ୍ଦା ସଂସ୍ଥା ଆକଳନ କରିଛି । ଆକ୍ରମଣର ମୁକାବିଲା ପାଇଁ ଇସ୍ରାଏଲ ମଧ୍ୟ ପ୍ରସ୍ତୁତ ରହିଛି । ଇସ୍ରାଏଲ ଏବେ ହମାସ ସହ ଗାଜାରେ ଯୁଦ୍ଧ କରୁଛି । ଏପରି ସ୍ଥିତିରେ ଇରାନ ଯଦି ଇସ୍ରାଏଲ ଉପରେ ହମଲା କରେ, ତା ହେଲେ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।
ଆମେରିକାର ଗୁଇନ୍ଦା ସଂସ୍ଥା ମଧ୍ୟ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଆକଳନ କରିଛି । ଯଦି ଆକ୍ରମଣ ହୁଏ ତେବେ ଆମେରିକା ଇସ୍ରାଏଲକୁ ସମର୍ଥନ କରିବ । ଏବେଠାରୁ ଆମେରିକାର ଯୁଦ୍ଧ ଜାହାଜ ମଧ୍ୟ ଇସ୍ରାଏଲକୁ ସମର୍ଥନ କରିବାକୁ ପ୍ରସ୍ତୁତ ରହିଛି ।
ସେପଟେ ଇରାନରେ ଇସ୍ରାଏଲ ବିରୋଧୀ ଆନ୍ଦୋଳନ ମଧ୍ୟ ତୀବ୍ର ହେବାରେ ଲାଗିଛି । ଲୋକମାନେ ବିଭିନ୍ନ ସ୍ଥାନରେ ଇସ୍ରାଏଲ ପତାକା ପୋଡ଼ିଛନ୍ତି। ଏପ୍ରିଲ ୧ରେ ଇରାନ ଦୂତାବସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବା ଅଭିଯୋଗ ହୋଇଛି । ଏଥିରେ ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । କେହି ବି ଭାରତୀୟ ଇସ୍ରାଏଲ ଓ ଇରାନ ଯାତ୍ରା ନକରିବାକୁ କୁହାଯାଇଛି ।