କଲମ୍ବୋ, ମେ ୧୦ (ଖବର ଓଡ଼ିଶା): ଘୋର ଆର୍ଥିକ ସଂକଟ ଦେଇ ଗତିକରୁଥିବା ଶ୍ରୀଲଙ୍କାରେ ସୋମବାର ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ପ୍ରଦର୍ଶନକାରୀମାନେ ନିଜ ପଦରୁ ଇସ୍ତଫା ଦେଇସାରିଥିବା ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଘରେ ଅଗ୍ନି ସଂଯୋଗ କରିଦେଇଛନ୍ତି । ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ଶ୍ରୀଲଙ୍କାର ଅବସ୍ଥା ଆହୁରି ଅଧିକ ଦୟନୀୟ ହୋଇଯାଇଛି ।
ରାଜପକ୍ଷେଙ୍କ ଉତ୍ତର-ପଶ୍ଚିମ ରାଜ୍ୟର କୁରୁନେଗଲା ସହରରେ ଥିବା ନିବାସରେ ସୋମବାର ନିଆଁ ଲାଗିଛି । ଏହି ଘଟଣା ମହିନ୍ଦାଙ୍କ ରାଷ୍ଟ୍ରପତିଙ୍କୁ ନିଜର ଇସ୍ତଫା ଦେବା ପରେ ସାମ୍ନାକୁ ଆସିଛି । ଏହା ପୂର୍ବରୁ ସରକାର ବିରୋଧୀ ପ୍ରଦର୍ଶନକାରୀମାନେ ଶ୍ରୀଲଙ୍କାର ମୋରାତୁବା ମେୟର ସମନ ଲାଲ ଫର୍ଣ୍ଣାଡୋ ଓ ସାଂସଦ ସନଥ ନିଶାନ୍ତ, ରମେଶ ପଥିରାନା, ମହିପାଳ ହେରାଥ, ଥିସା କୁଟ୍ଟିୟାରାଚୀ ଓ ନିମଲ ଲାଞ୍ଜା ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ଇଣ୍ଟର-ୟୁନିଭରର୍ସିଟି ଷ୍ଟୁଡେଣ୍ଟ ଫେଡରେଶନ ସହିତ ବଡ଼ ସଂଖ୍ୟାରେ ପ୍ରଦର୍ଶନକାରୀ ରାଜରାସ୍ତାକୁ ଓହ୍ଲାଇଥିଲେ ଏବଂ ପୋଦୁଜାନା ପେରାମୁନାର ସାଂସଦଙ୍କ ଉପରେ ଆକ୍ରମଣ କରିଥିଲେ ।
ଏହି ହିଂସାରେ କ୍ଷମତାସୀନ ପାର୍ଟିର ଜଣେ ସାଂସଦଙ୍କର ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ ସାଂସଦ ପ୍ରଥମେ ପ୍ରଦର୍ଶନକାରୀଙ୍କ ଉପରେ ବନ୍ଧୁକରୁ ଗୁଳି ଚଳାଇଥିଲେ । ପରେ ସେ ଲୋକଙ୍କ ଭିଡକୁ ଭୟକରି ଆତ୍ମହତ୍ୟା କରିଦେଲେ । ସାଂସଦଙ୍କ ମୃତ୍ୟୁ ପରେ ତଦନ୍ତ କରୁଥିବା ପୋଲିସ କହିଛି ଯେ, ନିଟ୍ଟବୁୱା ସହର ନିକଟ ପ୍ରଦର୍ଶନକାରୀମାନେ ସାଂସଦଙ୍କ ଅମରକୀର୍ତ୍ତି ଅଥୁକୋରଳାର କାରକୁ ଘେରି ଯାଇଥିଲେ ।
ଈୟରେ ସାଂସଦ ଅମରକୀର୍ତ୍ତି ପ୍ରଦର୍ଶନକାରୀଙ୍କ ଉପରକୁ ବନ୍ଧୁକରୁ ଗୁଳି କରିଥିଲେ । ସାଂସଦଙ୍କର ଏହି ଫାଇରିଂରେ ୨ ଜଣ ଗୁରୁତର ହୋଇଥିଲେ । କିନ୍ତୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଭିଡରେ ଥିବା ପ୍ରଦର୍ଶନକାରୀମାନେ ସାଂସଦଙ୍କୁ ଘେରି ଯାଇଥିଲେ । ଶେଷରେ ସାଂସନ ଅନ୍ୟ ଉପାୟ ନ ପାଇଁ ଆତ୍ମହତ୍ୟା କରିଥିଲେ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶ୍ରୀଲଙ୍କା ପୋଦୁଜାନା ପେରାମୁନାର କିଛି କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି । ଏହା ବ୍ୟତୀତ ଭିକେତିୟା ପ୍ରଦେଶୀୟ ସଭାର ସଭାପତିଙ୍କ ନିବାସରେ ୨ ଜଣଙ୍କ ଗୁଳି କରିଦିଆଯାଇଛି । ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ପୂରା ଦେଶରେ କର୍ଫ୍ୟୁ ଲାଗୁ ହୋଇଛି । ସେନାକୁ ସଡ଼କରେ ମୁତୟନ କରାଯାଇଛି ।