ଇସଲାମାବଦାଦ, ମେ ୧୮ (ଖବର ଓଡ଼ିଶା): ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ୍ ଶରୀଫ ଚୀନ-ପାକିସ୍ତାନ ଆର୍ଥିକ କରିଡର ପ୍ରକଳ୍ପ ଉପରେ କାମ କରୁଥିବା ଚୀନ ନାଗରିକଙ୍କ ସୁରକ୍ଷା ବଢ଼ାଇବାକୁ ମଙ୍ଗଳବାର ଆଦେଶ ଦେଇଛନ୍ତି । ଆଦେଶ ଜାରି ହେବାର ଦିନକ ପୂର୍ବରୁ ଶହବାଜ ଚୀନ ପ୍ରଧାନମନନ୍ରୀ ଲୀ କ୍ୱିଙ୍ଗ୍ ସହିତ ଟେଲିଫୋନ୍ରେ କଥାବାର୍ତ୍ତା କରିଥିଲେ । ଏହି ଆଲୋଚନା ସମୟରେ ସେ ଅନ୍ୟ ପ୍ରସଙ୍ଗ ବ୍ୟତୀତ ପାକିସ୍ତାନରେ ଚୀନ ନାଗରିକଙ୍କ ସୁରକ୍ଷା ନେଇ କଥାବାର୍ତ୍ତା କରିଥିଲେ ।
ଏକ ବୟାନ ଅନୁସାରେ ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ସନାଉଲ୍ଲାହ, ଯୋଜନା ମନ୍ତ୍ରୀ ଅହସାନ ଇକବାଲ ଓ ଅନ୍ୟ ବରିଷ୍ଠ ଅଧିାକରୀମାନଙ୍କ ସହିତ ଏକ ବୈଠକ କରିଛନ୍ତି । ଚୀନ ନାଗରିକଙ୍କ ସୁରକ୍ଷାରେ କୌଣସି ଢିଲା ପଣ କରାଯିବ ନାହିଁ ବୋଲି କୁହାଯାଇଛି । ପ୍ରଧାନମନ୍ତ୍ରୀ ଶହବାଜ ଚୀନ ନାଗରିକଙ୍କ ପାଇଁ କଡ଼ା ସୁରକ୍ଷଶ ବ୍ୟବସ୍ଥା କରିବାକୁ ଆଦେଶ ଦେଇଛନ୍ତି ।
ପୋଲିସର ବୟାନ ଅନୁସାରେ ସୋମବାର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନରେ ଏକ ଆତ୍ମଘାତୀ ଆକ୍ରମଣକାରୀକୁ ଗିରଫ କରାଯାଇଥିଲା । ସଂପୃକ୍ତ ବ୍ୟକ୍ତି ସିପିଆଇସି ସହିତ ଜଡ଼ିତ ଜଣେ ଚୀନ ନାଗରିକଙ୍କ ଏକ କାର୍ଯ୍ୟାଳୟ ପାଖରେ ନିଜକୁ ଉଡାଇବାକୁ ଷଡ଼ଯନ୍ତ୍ର ରଚିଥିଲା । ଶହବାଜ ପ୍ରଧାନମନ୍ତ୍ରୀ ଲୀଙ୍କୁ କହିଛନ୍ତି ଯେ, ତାଙ୍କର ସରକାର ପାକିସ୍ତାନରେ କାମ କରୁଥିବା ସମସ୍ତ ଚୀନ ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିବ । ଏଥି ପାଇଁ ଆବଶ୍ୟକ ପଦକ୍ଷେପ ନେବ ।