କଲମ୍ବୋ, ମେ ୧୧ (ଖବର ଓଡ଼ିଶା): ଶ୍ରୀଲଙ୍କାରେ ପ୍ରଥମେ ଦରବୃଦ୍ଧି ଓ ଏବେ ଆର୍ଥିକ ସଂକଟର ନିଆଁ ଜଳୁଛି । ଏବେ ହିଂସା ଓ ଦଙ୍ଗାର ନିଆଁରେ ପୂରା ସୁବର୍ଣ୍ଣ ଲଙ୍କାପୂରୀ ଜଳୁଛି । ଗତ ୯ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେବା ପରେ ସମର୍ଥକମାନେ ସରକାରଙ୍କ ବିରୋଧରେ ପ୍ରଦର୍ଶନକରୁଥିବା ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହା ପରେ ସ୍ଥିତି ଅନିୟନ୍ତ୍ରିତ ହୋଇଯାଇଛି । ଶେଷର ପ୍ରଧାନମନ୍ତ୍ରୀ ରାଜପକ୍ଷେ ଜୀବନ ବଞ୍ଚାଇବା ପାଇଁ ଏକ ନିଦ୍ଧିଷ୍ଟ ସ୍ଥାନକୁ ଗୋପନରେ ପଳାୟନ କରିଛନ୍ତି । ଅତୀତରେ କିନ୍ତୁ ସେ ଦେଶକୁ ଅନେକ ସଂକଟରୁ ବଞ୍ଚାଇଥିଲେ ।
ଆର୍ଥିକ ସଂକଟକୁ ନେଇ ବିରୋଧ-ପ୍ରଦର୍ଶନ ମଧ୍ୟରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏବେ ରାଷ୍ଟ୍ରପତିଙ୍କର ଏହି ନିଷ୍ପତ୍ତି ଯୋଗୁଁ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦ ଛାଡ଼ି ସାରିଥିବା ମହିନ୍ଦା ରାଜପକ୍ଷେଙ୍କ ଉପରେ ଜାଫନାରେ ତାମିଲମାନଙ୍କ ନରସଂହାର ଠାରୁ ଆରମ୍ଭ କରି ଦେଶକୁ ଋଣରେ ବୁଡାଇବା ପର୍ଯ୍ୟନ୍ତ ଅଭିଯୋଗ ଆସିଛି । ମହିନ୍ଦା ରାଜପକ୍ଷେ ୨୦୦୪ରେ ଶ୍ରୀଲଙ୍କାର ୧୩ତମ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେହି ସମୟରେ ଦେଶରେ ଏକାଧିକ ଚ୍ୟାଲେଞ୍ଜ ଥିଲା । କିନ୍ତୁ ତଥାପି ଦେଶର ଜନତା ତାଙ୍କରି ଉପରେ ଭରସା ରଖିଥିଲେ । ବର୍ଷ ୨୦୦୦ ପରେ ଶ୍ରୀଲଙ୍କାରେ ମହିନ୍ଦା ରାଜପକ୍ଷେ ଅଧିକ ସମୟ ରାଜୁତି କରିଥିଲେ ।
୨୦୦୪ରେ ମହିନ୍ଦା ରାଜପକ୍ଷେଙ୍କ ପ୍ରଧାନମନ୍ତ୍ରୀ ଭାବେ ଆଗମନ ହୋଇଥିଲା । ଦୁର୍ଭାଗ୍ୟବଶତଃ ସେହି ବର୍ଷ ସୁନାମୀ ଆସିଥିଲା । ସର୍ବାଧିକ କ୍ଷତି ସହିଥିବା ଦେଶ ଶ୍ରୀଲଙ୍କା ଥିଲା । ସୁନାମୀ ପରେ ମହିନ୍ଦା ରାଜପକ୍ଷେ ଦେଶର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିଲେ । ଏହି କାରଣରୁ ପରବର୍ତ୍ତୀ ବର୍ଷ ସେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ ।