ହାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର ତଥା ପୁଷ୍ପା ଫିଲ୍ମର ହିରୋ ଅଭିନେତା ଅଲ୍ଲୁ ଅର୍ଜୁନ ଗିରଫ ହେବା ପରେ ତାଙ୍କୁ ଜେଲ୍ ପଠାଇ ଦେଇଛନ୍ତି ନିମ୍ନ ଅଦାଲତ । ନାମପଲ୍ଲୀ ଅଦାଲତ ଏହି ମାମଲାର ଶୁଣାଣି କରି ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ପଠାଇ ଦେଇଛନ୍ତି । ଗିରଫ ପରେ ତାଙ୍କର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ଅଲ୍ଲୁଙ୍କୁ ମିଶାଇ ଏହି ମାମଲାରେ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି ବୋଲି ସରକାରୀ ଓକିଲ କହିଛନ୍ତି ।
ଅନ୍ୟପକ୍ଷରେ ତେଲେଙ୍ଗାନା ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ଅଲ୍ଲୁ ଅର୍ଜୁନ । ମାମଲାର ତ୍ୱରିତ ଶୁଣାଣି କରିବାକୁ ସେ ଆବେଦନ କରିଛନ୍ତି । ସେଠାରେ ତାଙ୍କ ମାମଲାର ଶୁଣାଣି ଚାଲିଛି । ଥିଏଟରରେ ଭିଡ଼ ପାଇଁ ଅଲ୍ଲୁ ଅର୍ଜୁନ କୌଣସି ଭାବେ ଦାୟୀ ନୁହଁନ୍ତି । ଅଲ୍ଲୁଙ୍କ ଯିବା ପୂର୍ବରୁ ପୁଲିସକୁ ସୂଚନା ଦିଆଯାଇଥିଲା । କିନ୍ତୁ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା ବୋଲି ଅଲ୍ଲୁଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଶାହାରୁଖ ଖାନଙ୍କ ମାମଲାର ଉଦାହରଣ ଦେଇଛନ୍ତି । ରଇସ୍ ଫିଲ୍ମ ପ୍ରମୋଶନ୍ ସମୟରେ ମଧ୍ୟ ଭିଡ଼ ହୋଇଥିଲା । ଯେଉଁଥିରେ ଜଣଙ୍କ ପ୍ରାଣ ଯାଇଥିଲା । କିନ୍ତୁ ଏଥିରେ ଅଭିନେତାଙ୍କର ସିଧାସଳକ କୌଣସି ଭୂମିକା ନ ଥିଲା ।
ମାମଲା ପ୍ରତ୍ୟାହୃତ କରିବାକୁ ଚାହୁଁଛନ୍ତି ମୃତ ମହିଳାଙ୍କ ସ୍ୱାମୀ
ସେପଟେ ମୃତ ମହିଳା ରେବତୀଙ୍କ ସ୍ୱାମୀ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ କରିଥିବା ମାମଲାକୁ ହଟାଇବାକୁ ନିଷ୍ପତି ନେଇଛନ୍ତି । ରେବତୀଙ୍କ ସ୍ୱାମୀ କହିଛନ୍ତି, ଆମେ କେବଳ ଆମ ପୁଅ ପାଇଁ ସନ୍ଧ୍ୟା ଥିଏଟରକୁ ଫିଲ୍ମ ଦେଖିବାକୁ ଯାଇଥିଲୁ । ସେହିଦିନ ଅଲ୍ଲୁ ଅର୍ଜୁନ ଫିଲ୍ମ ଦେଖିବାକୁ ଆସିଥିଲେ, ସେଥିରେ ତାଙ୍କର କୌଣସି ଭୁଲ ନାହିଁ । ସେ ମାମଲା ପ୍ରତ୍ୟାହୃତ କରିବାକୁ ଚାହୁଁଛନ୍ତି ଏବଂ ଅଲ୍ଲୁଙ୍କ ଗିରଫଦାରୀ ସମ୍ପର୍କରେ ପୁଲିସ ତାଙ୍କୁ କିଛି ଜଣାଇ ନାହିଁ ବରଂ ସେ ଏହି ଖବର ମେଡ଼ିକାଲରେ ଥିଲା ବେଳେ ନ୍ୟୁଜରେ ଦେଖି ଜାଣିବାକୁ ପାଇଛନ୍ତି ବୋଲି ରେବତୀଙ୍କ ସ୍ୱାମୀ କହିଛନ୍ତି ।
ତେବେ ଅଲ୍ଲୁ ଅର୍ଜୁନଙ୍କ ସପକ୍ଷରେ ବାହାରିଛନ୍ତି ବଲିଉଡ୍ ଅଭିନେତା ବରୁଣ ଧାୱନ୍ । ସେ କହିଛନ୍ତି ଯେ ଏହି ମାମଲା ପାଇଁ ଜଣଙ୍କୁ ଦୋଷୀ ଦର୍ଶାଇବାଟା ଠିକ୍ ନୁହେଁ ।
ଡିସେମ୍ବର ୪ ତାରିଖରେ ‘ପୁଷ୍ପା-୨’ ଫିଲ୍ମ ପ୍ରମିୟର୍ ଶୋ ପାଇଁ ହ୍ରାଇଦ୍ରାବାଦର ପ୍ରମୁଖ ‘ସନ୍ଧ୍ୟା ଥିଏଟର୍’ରେ ଆୟୋଜନ କରିଥିଲେ । ‘ସନ୍ଧ୍ୟା ଥିଏଟର୍’ରେ ପ୍ରିମିୟର୍ ଶୋ ଦେଖିବାକୁ ଅଲ୍ଲୁ ଅର୍ଜୁନ ନିଜର ପରିବାର ସହିତ ଆସି ପହଁଚିଥିଲେ । ମେଗାଷ୍ଟାରଙ୍କ ଟିକେ ଝଲକ୍ ଦେଖିବାକୁ ଅସମ୍ଭାଳ ଭିଡ଼ ହୋଇଥିଲା । ପାଖାପାଖି ହଜାରେ ଲୋକ ରୁଣ୍ଡ ହୋଇଥିଲା । ସେ ପହଁଚିବା ପରେ ଦଳାଚକଟା ସ୍ଥିତି ଉତ୍ପନ୍ନ ହୋଇଥିଲା । ଏହି ଦଳଚକଟାରେ ଜଣେ ରେବତୀ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏହା ସହିତ ତାଙ୍କର ଗୋଟିଏ ୯ ବର୍ଷ ବୟସର ପୁଅ ମଧ୍ୟ ଗୁରୁତର ହୋଇଥିଲେ । ପିଲାଟି ଏବେବି ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ।
ତେବେ ଏହି ଘଟଣା ପରେ ଅଲ୍ଲୁ ଦୁଃଖ ପ୍ରକାଶ କରିବା ସହିତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଏକ ଭିଡ଼ିଓ ଜରିଆରେ କହିଥିଲେ । ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ସେ କହିଥିଲେ । ଉକ୍ତ ପରିବାର ସହିତ ସେ ଅଛନ୍ତି ବୋଲି କହିଥିଲେ ଅଲ୍ଲୁ ।