'ପବିତ୍ର ରିସ୍ତା' ହିନ୍ଦୀ ଟେଲିଭିଜନ ସୋ ରେ ଅଭିନୟ କରି ବେଶ ପରିଚିତ ହୋଇଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି ୪୦ ବର୍ଷ ବୟସରେ ପାଦ ରଖିଛନ୍ତି। ଜନ୍ମଦିନ ଉପଲକ୍ଷେ ଅଙ୍କିତାଙ୍କ ପାଇଁ ଫ୍ୟାନ୍ସଙ୍କ ସୁଭେଚ୍ଛାର ସୁଅ ଛୁଟିଛି। ଏପରିକି ଅଙ୍କିତାଙ୍କ ଫ୍ୟାନ୍ସମାନେ ସକାଳୁ ସକାଳୁ କେକ ମଧ୍ୟ କାଟିଛନ୍ତି। ତେବେ ଅଙ୍କିତା ନିଜ ଜନ୍ମଦିନ ନିଜ ପରିବାର ସହିତ ପାଳିଥିବାର ଦେଖିବାକୁ ମିଳିଛି। ଏହାସହିତ ତାଙ୍କ ଜନ୍ମଦିନରେ ଫ୍ୟାନ୍ସମାନଙ୍କ ଠାରୁ ଏତେ ଭଲ ପାଇବା ପାଇଥିବାରୁ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ଅଭିନେତ୍ରୀ ଅଙ୍କିତା।
ସ୍ନାତକୋତ୍ତର ସମାପ୍ତ କରିବା ପରେ ଅଭିନୟରେ କ୍ୟାରିୟର କରିବାକୁ ମୁମ୍ବାଇ ଆସିଥିଲେ ଅଙ୍କିତା। ଅଙ୍କିତା ୨୦୦୭ ମସିହାରେ ସୋ 'ଇଣ୍ଡିଆର ବେଷ୍ଟ ସିନେଷ୍ଟର କି ଖୋଜ' ସହିତ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ, ଏହା ପରେ ସେ ଏକତା କପୁରଙ୍କ ସୋ 'ପବିତ୍ର ରିସ୍ତା' ରେ ସୁଶାନ୍ତ ସିଂ ରାଜପୁତଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏହି ଟେଲିଭିଜନ ସୋ ରେ ଅଭିନୟ କରି ବେଶ ପରିଚିତ ହୋଇଥିଲେ। ଟିଭି ସିରିଏଲରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଅଙ୍କିତା ଅନେକ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ୨୦୧୯ ମସିହାରେ କଙ୍ଗନା ରାନାୱତଙ୍କ ନିର୍ଦ୍ଦେଶିତ ତଥା ଅଭିନୀତ 'ମାଣିକର୍ଣ୍ଣିକା ଚଳଚିତ୍ରରେ ଅଙ୍କିତାଙ୍କ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଅଭିନୟ କରି ଖୁବ ପ୍ରଶଂସା ସାଉଁଟିଥିଲେ ଅଙ୍କିତା ଲୋଖଣ୍ଡେ ।