ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ମୁସ୍ତାକ୍ ଖାନ୍ ଓ ସୁନୀଲ ପାଲ ଅପହରଣ ମାମଲାର ଖୁଲାସା କରିଛି ଉତ୍ତର ପ୍ରଦେଶ ପୁଲିସ । ଏହି ମାମଲାରେ ୪ ଅଭିଯକ୍ତଙ୍କୁ ଗିରଫ କରାଯାଇଛି । ତିନି ଜଣ ଅଭିଯୁକ୍ତ ବିଜନୌର ହୋଇଥିବାବେଳେ ଜଣେ ଗାଜିଆବାଦ ଅଞ୍ଚଳର ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ସାର୍ଥକ ଚୌଧୁରୀ, ରାଜୀବ ଚୌଧୁରୀ, ସବୀଉଦ୍ଦୀନ, ଶଶାଙ୍କ । ସେମାନଙ୍କଠାରୁ ନଗଦ ୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଏ ନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ଅଭିଷେକ ଝା ।
ନଭେମ୍ବର ୨୦ ତାରିଖରେ ଅଭିନେତା ମୁସ୍ତାକ୍ ଖାନ ଓ କମେଡ଼ିଆନ ସୁନୀଲ ପାଲଙ୍କୁ ଅପହରଣ କରି ବିଜନୌରର ଚାହଶୀରୀରେ ରଖାଯାଇଥିଲେ ଅପହରଣକାରୀ । ଅଭିଯକ୍ତମାନେ ତାଙ୍କ ମୋବାଇଲରୁ ଅନଲାଇନ ପେମେଣ୍ଟ କରି ମେରଠ ଏବଂ ମୁଜାଫରନଗରରୁ ଜିନିଷ ମଧ୍ୟ କିଣିଥିଲେ । ଏହା ସହିତ ଜନସେବା କେନ୍ଦ୍ରରୁ ୨୫ ହଜାର ଟଙ୍କା ଉଠେଇଥିଲେ । ଅନ୍ୟ ସମସ୍ତ ଟଙ୍କା ଖର୍ଚ୍ଚ କରିଥିଲେ । ପ୍ରାୟ ୨ ଲକ୍ଷ ୨୦ ହଜାର ଭଳି ଟଙ୍କା ସେମାନେ ତାଙ୍କଠାରୁ ନେଇଛନ୍ତି । ପ୍ରାୟ ୨୨ ଥର ଟ୍ରାଞ୍ଜାକସନ୍ ହୋଇଛି ।
ଅଭିଯୁକ୍ତମାନେ ଡିସେମ୍ବର ୨ ତାରିଖରେ କମେଡ଼ିଆନ ସୁନୀଲ ପାଲଙ୍କ ପ୍ରୋଗ୍ରାମ କରିବେ ବୋଲି କହି ଟଙ୍କା ଆଦାୟ ମଧ୍ୟ କରିଥିଲେ । ଖାଲି ସେତିକି ନୁହେଁ ସୁନୀଲଙ୍କ ସହିତ ଏକ ସେଲଫି ନେଇ ଅଭିନେତା ରାଜେଶ ପୁରୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ଏମିତିକି ଅଭିନେତା ଶକ୍ତି କାପୁରଙ୍କୁ ମଧ୍ୟ ସମ୍ପର୍କ କରିଥିଲେ । ସେ ୫ ଲକ୍ଷ ଟଙ୍କା ନେବେ ବୋଲି କହିବାରୁ ଶକ୍ତିଙ୍କୁ ଏଥିରୁ ବାଦ ଦିଆଯାଇଥିଲା ।