ହ୍ରାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର ତଥା ପୁଷ୍ପା ଫିଲ୍ମର ହିରୋ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ବଡ଼ ଝଟକା ଲାଗିଛି । ଅଲ୍ଲୁ ଅର୍ଜୁନଙ୍କୁ ହ୍ରାଇଦ୍ରାବାଦ ପୁଲିସ ଗିରଫ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତାଙ୍କ ଫିଲ୍ମ ପୁଷ୍ପା-୨ ରିଲିଜ୍ ସମୟରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।
ଅଲ୍ଲୁ ଅର୍ଜୁନଙ୍କୁ ଚିକ୍କଡ଼ପଲ୍ଲୀ ଥାନାକୁ ଅଣାଯାଇ ଅଧିକ ପଚରା ଉଚରା କରାଯାଉଥିବା ଜଣାପଡ଼ିଛି । ଆଇପିସି ଧାରା ୧୦୫ ଏବଂ ବିଏନଏସ୍ ୧୧୮ ଆଧାରରେ ମାମଲା ରୁଜୁ ହୋଇଛି ।
ଡିସେମ୍ବର ୪ ତାରିଖରେ ପୁଷ୍ପା-୨ ଫିଲ୍ମ ପ୍ରମିୟର୍ ଶୋ ପାଇଁ ହ୍ରାଇଦ୍ରାବାଦର ପ୍ରମୁଖ ‘ସନ୍ଧ୍ୟା ଥିଏଟର୍’ରେ ଆୟୋଜନ କରିଥିଲେ । ‘ସନ୍ଧ୍ୟା ଥିଏଟର୍’ରେ ପ୍ରିମିୟର୍ ଶୋ ଦେଖିବାକୁ ଅଲ୍ଲୁ ଅର୍ଜୁନ ନିଜର ପରିବାର ସହିତ ଆସି ପହଁଚିଥିଲେ । ମେଗା ଷ୍ଟାରଙ୍କ ଟିକେ ଝଲକ୍ ଦେଖିବାକୁ ଅସମ୍ଭାଳ ଭିଡ଼ ହୋଇଥିଲା । ପାଖାପାଖି ହଜାରେ ଲୋକ ରୁଣ୍ଡ ହୋଇଥିଲା । ସେ ପହଁଚିବା ପରେ ଦଳାଚକଟା ସ୍ଥିତି ଉତ୍ପନ୍ନ ହୋଇଥିଲା ।
ଏହି ଦଳଚକଟାରେ ରେବତୀ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏହା ସହିତ ତାଙ୍କର ଗୋଟିଏ ୯ ବର୍ଷ ବୟସର ପୁଅ ମଧ୍ୟ ଗୁରୁତର ହୋଇଥିଲେ । ପିଲାଟି ଏବେବି ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଡିସେମ୍ବର ୫ରେ ଏ ନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମଚାରୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।
ତେବେ ଏହି ଘଟଣା ପରେ ଅଲ୍ଲୁ ଦୁଃଖ ପ୍ରକାଶ କରିବା ସହିତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଏକ ଭିଡ଼ିଓ ଜରିଆରେ କହିଥିଲେ । ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ସେ କହିଥିଲେ । ଉକ୍ତ ପରିବାର ସହିତ ସେ ଅଛନ୍ତି ବୋଲି କହିଥିଲେ ଅଲ୍ଲୁ ।