ନୂଆଦିଲ୍ଲୀ: ପ୍ରସିଦ୍ଧ ତବଲା ବାଦକ ପଦ୍ମଶ୍ରୀ ଉସ୍ତାଦ ଜାକିର ହୁସେନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଆମେରିକାର ସାନ୍ ଫ୍ରାନ୍ସସିସ୍କୋସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ସପ୍ତାହେ ହେଲା ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ଅଧିକ ଗୁରୁତର ଥିବା ନେଇ ଗଣମାଧ୍ୟମରେ ଖବର ଆସିଥିଲା। କିଛି ଗଣମାଧ୍ୟମରେ ମୃତ୍ୟୁ ଖବର ମଧ୍ୟ ପ୍ରକାଶିତ ହୋଇଥିଲା।
ଜାକିର ହୁସେନ ୧୯୫୧ ମସିହା ୯ ମାର୍ଚ୍ଚରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ହେଉଛନ୍ତି ଉସ୍ତାଦ ଆଲ୍ଲା ରକଖା କୁରେସି, ଯିଏ ପେଶାରେ ତବଲା ବାଦକ ଥିଲେ। ଜାକିର ମୁମ୍ବାଇର ମାହିମସ୍ଥିତ ସେଣ୍ଟ ମାଇକେଲ ସ୍କୁଲରୁ ବାଲ୍ୟ ଶିକ୍ଷାଗ୍ରହଣ କରିଥିଲେ। ମୁମ୍ବାଇର ସେଣ୍ଟ ଜାଭିୟର୍ସରୁ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୧ ବର୍ଷ ବୟସରେ ଜାକିର ପ୍ରଥମ ଥର ଦର୍ଶକଙ୍କ ସାମ୍ନାରେ ନିଜ ତବଲା ବାଦନର ପ୍ରଦର୍ଶନ କରିଥିଲେ। ତା ପରଠୁ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଧୀରେଧୀରେ ତାଙ୍କ ଲୋକପ୍ରିୟତା ଭାରତରୁ ନେଇ ବିଦେଶରେ ବଢିବାରେ ଲାଗିଥିଲା। ସେ ୧୯୭୩ରେ ନିଜର ପ୍ରଥମ ଆଲବମ ‘ଲିଭିଙ୍ଗ ଇନ ଦ ମ୍ୟାରେଟିୟଲ ଓ୍ଵାର୍ଲ୍ଡ’ ଲଞ୍ଚ କରିଥିଲେ। ସେ ତବଲା ବାଦନରେ ସାରା ବିଶ୍ୱରେ ବିଖ୍ୟାତ ଥିଲେ। ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ତବଲା ବାଦନରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ୧୯୮୮ରେ ଜାକିରଙ୍କୁ ପଦ୍ମଶ୍ରୀ, ୨୦୦୨ରେ ପଦ୍ମ ବିଭୂଷଣ ଓ ୨୦୨୩ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏତଦ୍ ବ୍ୟତୀତ ତିନି ଥର ଗ୍ରାମୀ ଆଓ୍ଵାର୍ଡରେ ସମ୍ମାନିତ ହୋଇଛନ୍ତି।
ସୂଚନାଯୋଗ୍ୟ ଜାକିର ହୁସେନ୍ଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି। କିନ୍ତୁ ଗତ ସପ୍ତାହ ଧରି ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ପାଇଁ ତାଙ୍କୁ ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାରତୀୟ ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରରେ ଜାକିର ହୁସେନ୍ଙ୍କ ଅନେକ ଅବଦାନ ରହିଛି। କେବଳ ଭାରତ ନୁହେଁ ବିଦେଶରେ ବି ତାଙ୍କର ବହୁ ଅନୁଗାମୀ ରହିଛନ୍ତି।