ଗାଜିଆବାଦ, ମେ ୦୮ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଗାଜିଆବାଦରେ ପୋଲିସ ଜଣେ ମହିଳାଙ୍କ ହତ୍ୟା ମାମଲାର ଖୁଲାସା କରିଛି । ଅଭିଯୁକ୍ତ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ଉଦ୍ୟମ କରିଥିଲା । ଯେତେବେଳେ ସେ ଏହି କାମରେ ବିଫଳ ହେଲା, ହୋଟେଲରେ ହିଁ ମହିଳାଙ୍କୁ ହତ୍ୟା କରିଦେଲା । ଏହି ହତ୍ୟାକାଣ୍ଡରେ ପୋଲିସ ମୁଖ୍ୟ ଅଭିଯୁକ୍ତ ନୌଶାଦ ଖାନଙ୍କ ସମେତ ହୋଟେଲ ମାଲିକ ରବୀନ୍ଦ୍ର ଯାଦବ, ମ୍ୟାନେଜର ବିଜୟ ଯାଦବ ଓ ସଫେଇ କର୍ମଚାରୀ ଅଛେଲାଲଙ୍କୁ ଗିରଫ କରିଛି ।
କୋତୱାଲି ଥାନା ଅନ୍ତର୍ଗତ ବଜରିଆ ଅଞ୍ଚଳରେ ଏହି ଘଟଣା ଘଟିଛି । ଏଠାରେ ଥିବା ହୋଟେଲ ‘ଆର୍ଯ୍ୟଦୀପ’ରେ ବିଗତ ଦିନରେ ଜଣେ ମହିଳାଙ୍କର ମୃତଦେହ ପଡ଼ିଥିଲା । ପୋଲିସ ଏହି ହତ୍ୟା ମାମଲାରେ ହୋଟେଲର କର୍ମଚାରୀଙ୍କୁ ପଚରାଉଚରା କରିଥିଲା । ଏହି ମାମଲାରେ ହୋଟେଲର ମାଲିକ ଓ ସଫାଇ କର୍ମଚାରୀ ମଧ୍ୟ ଗିରଫ ହୋଇଛନ୍ତି ।
ପୋଲିସ କହିବା ଅନୁସାରେ ମୁଖ୍ୟ ଅଭିଯୁକ୍ତ ନୌଶାଦ ଖାନ ଉତ୍ତରପ୍ରଦେଶର ହମୀରପୁର ଜିଲ୍ଲା ନିବାସୀ । ସେ ଗାଜିଆବାଦର ନୂରନଗର ସିହାନୀରେ ଏକ ଭଡ଼ା ଘରେ ରହୁଥିଲା । ଅଭିଯୁକ୍ତ ନୌଶାଦ ଗତ ମେ’ ୪ରେ କାମ କରିବାକୁ ରେଳଷ୍ଟେସନ ଯାଇଥିଲା । ସେଠାରେ ତା’ର ଜଣେ ୪୮ ବର୍ଷୀୟ ମହିଳାଙ୍କ ସହିତ ଭେଟ ହୋଇଥିଲା । ଉଭୟଙ୍କ କଥାବାର୍ତ୍ତାରେ ବନ୍ଧୁତା ସୃଷ୍ଟି ହୋଇଥିଲା । ମହିଳା ଜଣକ ନିଜ ନାଁ ପ୍ରିୟଙ୍କା ବୋଲି କହିଥିଲେ ।
ଅଭିଯୁକ୍ତ ପରେ ମହିଳାଙ୍କୁ ନେଇ ହୋଟେଲକୁ ଯାଇଥିଲା । ସେଠାରେ ସେ ମହିଳାଙ୍କ ଆଧାରକାର୍ଡ ଦେଇ ହୋଟେଲ ରୁମ ବୁକ କରିଥିଲା । ଏଥି ସହିତ ହୋଟେଲ ରୁମ୍ ଭିତରେ ମହିଳାଙ୍କ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଅସଫଳ ହେବାରୁ ମହିଳାଙ୍କ ସହିତ ଯୁକ୍ତିତର୍କ ହେଲା । ଏହା ପରେ ନୌଶାଦ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା । ହୋଟେଲ ମାଲିକ ପୋଲିସକୁ ଅଭିଯୁକ୍ତର ନାଁ ସତୀଶ ବୋଲି କହିଥିଲେ ଏବଂ ଏକ ଭୁଲ ମୋବାଇଲ ନମ୍ବର ଦେଇଥିଲେ ।