ଖବର ଓଡ଼ିଶା: ଅଦାନୀ ଗ୍ରୁପ୍ ର ଚେୟାରମ୍ୟାନ୍ ଗୌତମ ଅଦାନୀ ଆଗାମୀ କିଛି ବର୍ଷ ପରେ ଅବସର ନେବାକୁ ଯାଉଛନ୍ତି । ଅବସର ପାଇଁ ସେ ଯୋଜନା ପ୍ରସ୍ତୁତ କରିଛନ୍ତି । ୬୨ ବର୍ଷିୟ ଗୌତମ ଅଦାନୀ ଅବସର ନେବା ପରେ ତାଙ୍କ ସାମ୍ରାଜ୍ୟ ଗାଦିରେ କିଏ ବସିବ ସେଥିପାଇଁ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ତାଙ୍କ ଦୁଇ ପୁଅ କିମ୍ବା ଦୁଇ ପୁତୁରାଙ୍କ ମଧ୍ୟରୁ ଜଣେ ଗୌତମଙ୍କ ସ୍ଥାନ ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।
ନିକଟରେ ଗୌତମ ଅଦାନୀ ବ୍ଲୁମ୍ ବର୍ଗକୁ ଏକ ସାକ୍ଷାତକାର ଦେଇଛନ୍ତି । ଏଥିରେ ସେ ନିଜର ଅବସର ନେଇ ଚର୍ଚ୍ଚା କରିଛନ୍ତି । ୨୦୩୦ରେ ୭୦ ବର୍ଷ ବୟସରେ କାର୍ଯ୍ୟରୁ ଅବସର ନେବେ । ଅବସର ପରେ କମ୍ପାନୀର ଦାୟିତ୍ୱ ତାଙ୍କ ଦୁଇ ପୁଅ ଏବଂ ଦୁଇ ପୁତୁରାଙ୍କ ଉପରେ ରହିବ । ଯେତେବେଳେ ଅଦାନୀ ଅବସର ନେବେ, ସେତେବେଳେ ତାଙ୍କର ଚାରି ଜଣ ଉତ୍ତରାଧିକାରୀ ଦୁଇ ପୁଅ କରଣ ଅଦାନୀ ଓ ଜିତ ଅଦାନୀ ଏବଂ ପୁତୁରା ପ୍ରଣବ ଅଦାନୀ ଓ ସାଗର ଅଦାନୀ ଟ୍ରଷ୍ଟର ସମାନ ହିତାଧିକାରୀ ହେବେ । କମ୍ପାନୀଗୁଡିକରେ କେଉଁ ଦାୟିତ୍ୱରେ କିଏ ରହିବ ସେ ସମ୍ବନ୍ଧରେ ଗୋପନୀୟ ଚୁକ୍ତିନାମା ହେବ, ଯେଉଁଥିରେ ଅଦାନୀ ଗ୍ରୁପ୍ କମ୍ପାନୀଗୁଡିକର ଅଂଶଧନ ଏବଂ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ସ୍ଥାନାନ୍ତର ବିଷୟରେ ସମ୍ପୂର୍ଣ୍ଣ ସୂଚନା ଅନ୍ତର୍ଭୂକ୍ତ ହେବ । ସେ କହିଛନ୍ତି ଯେ ବ୍ୟବସାୟର ସ୍ଥିରତା ପାଇଁ ଉତ୍ତରାଧିକାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଦ୍ୱିତୀୟ ପିଢ଼ୀ ଉପରେ ଆଗାମୀ ଉତ୍ତରାଧିକାରୀ ଚୟନ କରିବାକୁ ଛାଡ଼ି ଦେଇଛନ୍ତି ବୋଲି କହିଛନ୍ତି । କାରଣ ପରିବର୍ତ୍ତନ ଧୀରେ ଧୀରେ ଏବଂ ବହୁତ ବ୍ୟବସ୍ଥିତ ହେବା ଉଚିତ । ତେବେ କିଏ ଅଦାନୀ ସିଂହାସନରେ ବସିବ ସେ ନେଇ ସ୍ପଷ୍ଟ ସୂଚନା ଦେଇ ନାହଁନ୍ତି ।
ବର୍ତ୍ତମାନ ଗୌତମ ଅଦାନୀଙ୍କ ବଡ ପୁଅ କରଣ ‘ଅଦାନୀ ବନ୍ଦର’ର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ସାନ ପୁଅ ଜିତ ‘ଅଦାନୀ ବନ୍ଦର’ର ଦାୟିତ୍ୱ ପରିଚାଳନା କରୁଛନ୍ତି । ଅନ୍ୟପକ୍ଷେ ପୁତୁରା ପ୍ରଣଲ ଅଦାନୀ ‘ଅଦାନି’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଟନ୍ତି । ଅଦାନୀ ଗ୍ରୀନର ଏକଜିକ୍ୟୁଟିଭ୍ ଦାୟିତ୍ୱରେ ଅଛନ୍ତି ସାନ ପୁତୁରା ସାଗର ଅଦାନୀ ।