ଭାରତ-ଓ୍ଵେଷ୍ଟଇଣ୍ଡିଜ ଦିନିକିଆ ସିରିଜ ଉପରେ ସଙ୍କଟର ବାଦଲ, ଇନ୍ଦୋର ପରେ ଏବ ମୁମ୍ବାଇରରେ ହୋଇପାରେ ରଦ୍ଦ !
Khabar Odisha:ind-vs-wi-mumbai-may-need-more-complimentary-passes-as-pune-demand-rs-10-cr
ନୂଆଦିଲ୍ଲୀ, ଅକ୍ଟୋବର୦୯(ଖବର ଓଡ଼ିଶା):

 ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଏବେ ବିବାଦରେ ଫଶି ଯାଇଛି। ଅକ୍ଟୋବର ୧୨ ରୁ ୧୬ ପର୍ଯ୍ୟନ୍ତ ଦ୍ଵିତୀୟ ଟେଷ୍ଟ ପରେ ଅକ୍ଟୋବର ୨୧ରୁ ଆରମ୍ଭ ହେବ ଦିନିକିଆ ସିରିଜ।  ମାତ୍ର ଟିକେଟ୍ ବଣ୍ଟନକୁ ନେଇ ଜାରି ବିବାଦ ଏବେ ପୂରା ସିରିଜକୁ ପ୍ରଭାବିତ କରିବାକୁ ଯାଉଛି। 

ଏବେ ଖବର ଆସୁଛି ଯେ ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମ ଓ ପୁଣେରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ଉପରେ ମଧ୍ୟ ବାଦଲର ସଙ୍କଟ ଦେଖା ଦେଇଛି। କାରଣ  ମିଡିଆ ରିପୋର୍ଟ ମୁତାବକ ଓ୍ଵାଙ୍ଖେଡା ଷ୍ଟାଡିୟମ ଓ  ପୁଣେରେ ହେବାକୁ ଥିବା ଦିନିକିଆ ମ୍ୟାଚର ଆୟୋଜନରେ ଏବେ ଟିକେଟ୍ ବଣ୍ଟନ ବିବାଦର କାରଣ ପାଲଟିଛି।

ପୁଣେରେ ଅକ୍ଟୋବର ୨୭ରେ ତୃତୀୟ ଦିନିକିଆ ଓ ଓ୍ଵାଙ୍ଖେଡ଼ାରେ ୨୯ରେ ଚତୁର୍ଥ ଦିନିକିଆ ମ୍ୟାଚ୍ ଖେଳାଯିବ। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ମୁତାବକ ଗୋଟିଏ ପଟେ ମହାରାଷ୍ଟ୍ର କ୍ରିକେଟ୍ ସଂଘ ମ୍ୟାଚ୍ ଆୟୋଜନକୁ  ନେଇ ପୂରା ପ୍ରସ୍ତୁତ ଥିବା ବେଳେ ମୁମ୍ବାଇ କ୍ରିକେଟ୍ ସଂଘ(ଓ୍ଵାଙ୍ଖେଡ଼ା ମ୍ୟାଚ୍) ପାସ୍  ଟିକେଟର ସଂଖ୍ୟା ବଢାଇବାକୁ ଦାବି କରିଛି।  

ମିଡିଆ ରିପୋର୍ଟ ମୁତାବକ ମହାରାଷ୍ଟ୍ର କ୍ରିକେଟ୍ ସଂଘ ବିସିସିଆଇଠୁ ଅଗ୍ରୀମ ୧୦ କୋଟି ଟଙ୍କା ଦେବାକୁ ଦାବି କରିଛି। ଅପର ପକ୍ଷେ ଅନେକ ରାଜ୍ୟ କ୍ରିକେଟ୍ ପ୍ରଶାସକ ପାସ୍ ଟିକେଟ୍ ସଂଖ୍ୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ପରେ ପ୍ରଶାସକ ସମିତି(ସିଓଏ) ଶନିବାର ହୋଇଥିବା ବୈଠକରେ ରାଜ୍ୟ କ୍ରିକେଟ୍ ପ୍ରଶାସକଙ୍କୁ ଅତିରିକ୍ତ ୬୦୦ ପାସ୍ ଟିକେଟ୍ ଦେବାକୁ ନିଷ୍ପତ୍ତି ନେଇଛି।

ମାତ୍ର ପାସ୍ ଟିକେଟ୍ ସଂଖ୍ୟାକୁ ନେଇ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଆମକୁ ମ୍ୟାଚ୍ ଆୟୋଜନ ପାଇଁ ଅତି କମରେ ୭୦୦୦ ଟିକେଟ୍ ଦରକାର ବୋଲି ବିସିସିଆଇକୁ କହିଛି। ବିସିସିଆଇର କୋଟା ପରେ ଆମକୁ ମିଳୁଛି ଅତିରିକ୍ତ ୬୦୦ ପାସ୍ ଟିକେଟ୍, ମାତ୍ର ଏହାକୁ ମିଶାଇଲେ ପାସ୍ ଟିକେଟ୍ ସଂଖ୍ୟା ୪ ହଜାରରେ ପହଞ୍ଚୁଛି।  ମାତ୍ର ଆମକୁ ୭୦୦୦ ଟିକେଟ୍ ଦରକାର ବୋଲି ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ କହିଛି।

ଏଠାରେ କହି ରଖୁଛୁ ଯେ ବିସିସିଆଇର ନୂତନ ସମ୍ବିଧାନ ମୁତାବକ  ଷ୍ଟାଡିୟମରେ ଦର୍ଶକଙ୍କ ମୋଟ୍ କ୍ଷମତାର ୯୦ ପ୍ରତିଶତ ଟିକେଟ୍ ସାଧାରଣ ଜନତାଙ୍କ ପାଇଁ ରହିବା ଉଚିତ୍ ଏବଂ ବାକି ୧୦ ପ୍ରତିଶତ ଟିକେଟ୍ ରାଜ୍ୟର ଅନ୍ୟ ଅନୁବନ୍ଧିତ କ୍ରିକେଟ୍ ସଂସ୍ଥାକୁ ଦିଆଯିବାର ପ୍ରାବଧାନ ରହିଛି। କିନ୍ତୁ ବିସିସିଆଇ ଏହି ୧୦ ପ୍ରତିଶତରୁ ୫ ପ୍ରତିଶତ ଟିକେଟ୍ ନିଜର  ପ୍ରାୟୋଜକଙ୍କ ପାଇଁ ଦାବି କରିଛି। ଯାହାକୁ ରାଜ୍ୟ କ୍ରିକେଟ୍ ସଂଘ ମାନିବାକୁ ପ୍ରସ୍ତୁତ ନୁହନ୍ତି।

ମଧ୍ୟ ପ୍ରଦେଶ କ୍ରିକେଟ୍ ସଂଘ ମଧ୍ୟ ଏହି କାରଣରୁ ଅକ୍ଟୋବର ୨୪ରେ ଇନ୍ଦୋର ଦିନିକିଆକୁ ଆୟୋଜନ କରିବାକୁ ମନା କରି ଦେଇଥିଲା। ଫଳରେ ଏହି ମ୍ୟାଚ୍ ବିଶାଖାପାଟଣା ସ୍ଥାନାନ୍ତର ହୋଇଛି। କିନ୍ତୁ  ଟିକେଟ୍ ବଣ୍ଟନକୁ ନେଇ ଯଦି ଏମିତି ବିବାଦ ଲାଗି ରହେ ତେବେ ସିରିଜର ବାକି ମ୍ୟାଚର ଆୟୋଜନ ମଧ୍ୟ ସଂକଟରେ ପଡ଼ିପାରେ। 

Subscribe

National International State Sports Entertainment