ଡିଏସ୍‌ପି ପଦ ହରାଇବେ ମହିଳା କ୍ରିକେଟର, ହରମନପ୍ରୀତ କୌର ହେବେ କନଷ୍ଟେବଲ
Khabar Odisha:Cricketer-Harmanpreet-Kaur-from-DSP-to-constable-over-fake-degree

ଚଣ୍ଡିଗଡ଼, ଜୁଲାଇ ୧୧(ଖବର ଓଡ଼ିଶା): ନକଲି ଡିଗ୍ରୀ ସାର୍ଟିଫିକେଟ୍‌ ମାମଲାରେ ପଞ୍ଜାବ ସରକାର ମହିଳା କ୍ରିକେଟର ହରମନପ୍ରୀତ କୌରଙ୍କୁ ଡିଏସ୍‌ପି ପଦରୁ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ହରମନପ୍ରୀତଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ନାହାନ୍ତି। ସରକାର କିନ୍ତୁ କୌରଙ୍କୁ ଦ୍ୱାଦଶ ଶ୍ରେଣୀ ସାର୍ଟିଫିକେଟକୁ ଆଧାର କରି କନଷ୍ଟେବଲ ପଦରେ ନିଯୁକ୍ତି ଦେବାକୁ ପ୍ରସ୍ତାବ ରଖିଛନ୍ତି। ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ଏହି ସୂଚନା ମିଳିଛି। 

ସରକାର ଓ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟି-୨୦ ଟିମର ଅଧିନାୟିକାଙ୍କ ବିରୋଧରେ ନକଲି ଡିଗ୍ରି ସାର୍ଟିଫିକେଟ ଦାଖଲ କରିବା ନେଇ କୌଣସି ଅପରାଧିକ ମାମଲା ରୁଜୁ କରାଯାଇ ନାହିଁ କିନ୍ତୁ ଏହାକୁ ନେଇ କୌରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇ ପାରିଥାନ୍ତା। 

ନିକଟରେ ପଞ୍ଜାବ ପୋଲିସ କହିଥିଲା ଯେ, ହରମନପ୍ରୀତ ଡିଏସପି ହେବାକୁ ଯେଉଁ ଡିଗ୍ରି ସାର୍ଟିଫିକେଟ ଜମା କରିଥିଲେ ତାହା ନକଲି ଅଟେ। ପଞ୍ଜାବ ପୋଲିସ ମେରଠସ୍ଥିତ ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟରେ ଏ ନେଇ ତଦନ୍ତ କରିଥିଲା । ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ, ହରମନପ୍ରୀତଙ୍କ ସ୍ନାତକ ଡିଗ୍ରି ସାର୍ଟିଫିକେଟ ନକଲି ଅଟେ। ତା’ପରେ ରାଜ୍ୟ ସରକାର ତାଙ୍କୁ ଦ୍ୱାଦଶ ଶ୍ରେଣୀ ସାର୍ଟିଫିକେଟ ଆଧାରରେ କନଷ୍ଟେବଲ ପଦ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛି। 

ଉଲ୍ଲେଖଯୋଗ୍ୟ ଗତ ମାର୍ଚ୍ଚ ୧ରେ ହରମନପ୍ରୀତଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ପୋଲିସ ମହାନିର୍ଦ୍ଦେଶକ ସୁରେଶ ଅରୋରା ଡିଏସ୍‌ପି ପଦରେ ନିଯୁକ୍ତି ଦେଇଥିଲେ। ଇଂଲଣ୍ଡରେ ମହିଳା ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ପଦ ମିଳିଥିଲା। ଏହା ପୂର୍ବରୁ ହରମନପ୍ରୀତ ରେଳବାଇରେ ଅଧିକାରୀ ପଦରେ ଅଧିଷ୍ଠିତ ଥିଲେ। 

  • Tags:

Subscribe

National International State Sports Entertainment