ଏମ ଚିନ୍ନସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ୫୨ ତମ ମ୍ୟାଚରେ ୪ ୱିକେଟ୍ ରେ ବାଜି ମାରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଗୁଜୁରାଟ ଟାଇଟନ୍ସ ୧୯.୩ ଓଭର ଖେଳି ୧୪୭ ରନ ସଂଗ୍ରହ କରିଥିବାବେଳେ ବେଙ୍ଗାଲୁରୁ ୧୩.୪ ଓଭରରେ ମ୍ୟାଚ ଜିତିଛି । ପାୱାରପ୍ଲେରେ ୯୨ ରନ ସଂଗ୍ରହ କରି ଏକ ତରଫା କରିଦେଇଥିବା ମ୍ୟାଚରେ ଗୁଜୁରାଟ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୀନେଶ କାର୍ତିକ ଓ ସ୍ୱପ୍ନିଳ ସିଂ ବେଙ୍ଗାଲୁରୁକୁ ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ସାହାଯ୍ୟ କରିଥିଲେ ।
ଗତ ସନ୍ଧ୍ୟାରେ ଟସ୍ ଜିତି ବେଙ୍ଗାଲୁରୁ ବୋଲିଂର ନିଷ୍ପତି ନେଇଥିଲା । ମହମ୍ମଦ ଶିରାଜ ପାୱାରପ୍ଲେରେ ଗୁଜୁରାଟର ଦୁଇ ଓପନରଙ୍କ ୱିକେଟ୍ ନେଇଥିଲେ । ଏହା ପରେ ନିୟମିତ ବ୍ୟବଧାନରେ ଗୁଜୁରାଟ ୱିକେଟ୍ ହରାଇବା ଫଳରେ ଦଳୀୟ ସ୍କୋର ୧୪୭ ରେ ପହଞ୍ଚିଥିଲା । ଗୁଜୁରାଟ ପକ୍ଷରୁ କେବଳ ୫ ଟି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ରନ କରିବାରେ ସଫଳ ହୋଇଥିଲେ । ଶାହରୁଖ ଖାନ ୩୭, ରାହୁଲ ତେୱତୀଆ ୩୫, ଡେଭିଡ ମିଲର ୩୦, ରଶିଦ ଖାନ ୧୮ ଏବଂ ବିଜୟ ଶଙ୍କର ୧୦ ରନ ସଂଗ୍ରହ କରିଥିଲେ । ବେଙ୍ଗାଲୁରୁ ବୋଲିଂରେ ମହମ୍ମଦ ଶିରାଜ ୨, ବିଜୟକୁମାର ବୈଶାଖ ୨, ୟଶ ଦୟାଲ ୨, କ୍ୟାମେରନ ଗ୍ରୀନ ୧ ଓ କର୍ଣ୍ଣ ଶର୍ମା ଗୋଟିଏ ୱିକେଟ୍ ନେଇଥିଲେ ।
ଦ୍ଵିତୀୟ ଇନିଂସରେ ବେଙ୍ଗାଲୁରୁର ଦୁଇ ଓପନର ବିରାଟ କୋହଲି ଏବଂ ଫାଫ ଡୁ ପ୍ଲେସିସ ଦ୍ରୁତଗତିରେ ବ୍ୟାଟିଂ କରିବା ସହ ପ୍ରଥମ ୬ ଓଭରରେ ୯୨ ରନ ସଂଗ୍ରହ କରିଥିଲେ । ଏହା ପରେ ଫାଫ ଡୁ ପ୍ଲେସିସ ନିଜ ୱିକେଟ୍ ହରାଇବା ଫଳରେ ବେଙ୍ଗାଲୁରର ବ୍ୟାଟିଂ ସାମାନ୍ୟ ସନ୍ତୁଳନ ହରାଇଥିଲା । ଜୋଶୁଆ ଲିଟିଲ ଏବଂ ନୁର ଏହମ୍ମଦ ୬ ଟି ୱିକେଟ୍ ନେଇ ମ୍ୟାଚରେ ରୋମାଞ୍ଚ ସୃଷ୍ଟି କରିଥିଲେ । ପରେ ଦୀନେଶ କାର୍ତିକ ଓ ଓ ସ୍ୱପ୍ନିଳ ସିଂଙ୍କ ଭାଗିଦାରୀରେ ବେଙ୍ଗାଲୁରୁ ମ୍ୟାଚ ଜିତିଥିଲା । ଫାଫ ଡୁ ପ୍ଲେସିସ ସର୍ବାଧିକ ୬୪, ବିରାଟ କୋହଲି ୪୨, ଦୀନେଶ କାର୍ତିକ ୨୧ ଓ ସ୍ୱପ୍ନିଳ ସିଂ ୧୫ ରନ ସଂଗ୍ରହ କରିଥିଲେ । ମହମ୍ମଦ ଶିରାଜଙ୍କ ଘାତକ ବୋଲିଂ ଫଳରେ ବେଙ୍ଗାଲୁରୁ ମ୍ୟାଚ ଜିତିଥିବାରୁ ଶିରାଜଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଥିଲା ।
ଅଧିକ ପଢନ୍ତୁ : ଚିନ୍ନସ୍ୱାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ଗୁଜୁରାଟ ଟାଇଟାନ୍ସ