କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଭବାନୀପାଟଣା ଏବଂ ରାୟଗଡା ରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ଦିନ ପ୍ରାୟ ୧.୩୦ରେ ପ୍ରତିରକ୍ଷା ମନ୍ତ୍ରୀ ଭବାନୀପାଟଣା ପୋଲିସ ପଡିଆ ହେଲିପେଡ଼ ରେ ଓହ୍ଲାଇ ସ୍ଥାନୀୟ ଲାଲ ବାହାଦୁର ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନର ସରକାର କରିବାକୁ ସେ ଉପସ୍ଥିତ ଲୋକଙ୍କୁ ଆହ୍ଵାନ ଦେଇଥିଲେ।
ଏକଦା କଳାହାଣ୍ଡି ଦାରିଦ୍ର୍ୟ ଯୋଗୁଁ କୁଖ୍ୟାତ ଥିବା ବେଳେ ଗତ ୧୦ ବର୍ଷରେ ମୋଦୀଜିଙ୍କ ସରକାର କଳାହାଣ୍ଡିରୁ ଗରିବୀ ହଟାଇଛି ବୋଲି ସେ କହିଥିଲେ। ଏହା ହେଉଛି ପ୍ରଭୁ ଜଗନ୍ନାଥ ଓ ମା’ ମାଣିକେଶ୍ବରୀଙ୍କ ଧରିତ୍ରୀ। କଳାହାଣ୍ଡି ଗରିବୀ ଓ ଦାରିଦ୍ର ପାଇଁ ପରିଚିତ। ପ୍ରତ୍ୟେକ ଅଞ୍ଚଳ ବିକଶିତ ନହେଲେ ବିକଶିତ ଭାରତ ସମ୍ଭବ ନୁହେଁ । ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ, କିନ୍ତୁ କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲାନି। ହେଲେ ମୋଦୀ କରି ଦେଖାଇଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି । କଳାହାଣ୍ଡିକୁ ବିଜେପି ପ୍ରାର୍ଥୀ ହିଁ ସାଂସଦ ଏବଂ ବିଧାନ ସଭାରେ ଉପଯୁକ୍ତ ପ୍ରତିନିଧିତ୍ଵ କରିପାରିବେ ବୋଲି ଶ୍ରୀ ସିଂ କହିଥିଲେ। ପୂର୍ବରୁ ଅନେକ ଥର ଓଡ଼ିଶା ଆସିଥିଲି। ଏଥର ମଧ୍ୟ ଓଡ଼ିଶା ଆସିଛି। କିନ୍ତୁ ଏଥର ସ୍ଥିତି ଅଲଗା ଦେଖାଯାଉଛି। ଭାରତୀୟ ଜନତା ପାର୍ଟି ଓଡ଼ିଶାର କେତୋଟି ଲୋକସଭା ଆସନରେ ବିଜୟ ହାସଲ କରିବ ବୋଲି ପଚରାଗଲେ, କିଛି ଲୋକେ କହୁଥିଲେ ୨ ଆଉ କିଛି କହୁଥିଲେ ୭ ଅଥବା ୮ । ଏଥର କିନ୍ତୁ ଓଡ଼ିଶାବାସୀ କହୁଛନ୍ତି, ୨୧ରୁ ୨୧ ଲୋକସଭା ଆସନରେ ବିଜେପି ଜିତିବ।
ଓଡ଼ିଶାରେ ବିଜେପି ସରକାର ଆସିଲେ, ଧନୀ ଗରିବ ସମସ୍ତଙ୍କୁ ମିଳିବ ଆୟୁଷ୍ମାନ୍ ସ୍ବାସ୍ଥ୍ୟ କାର୍ଡ । ରାୟଗଡାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଏହା କହିଛନ୍ତି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛିନ୍ତି, ଆମେ ଯାହା କହୁ, ତାହା କରୁ। ଏହା ଆମ ଚରିତ୍ର। ଆମେ ୩୭୦ ହଟାଇବୁ କହିଥିଲୁ, ହଟାଇଲୁ। ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ। ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ସରକାର ଓ ୨୫ ବର୍ଷ ବିଜେଡି ସରକାର ଦେଖିଲେ। ଏଥର ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣନ୍ତୁ।
ଅଧିକ ପଢନ୍ତୁ : ବରଗଡରେ ବିଜେପିର ସାମ୍ବାଦିକ ସମ୍ମିଳନୀ