ଗୁଆହାଟୀ: କିଛିଦିନର ବ୍ୟବଧାନ ପରେ ମଣିପୁରକୁ ପୁଣି ଥରେ ହିଂସା ଫେରିଛି। ହିଂସାକାଣ୍ଡରେ ଝାଡ଼ଖଣ୍ଡର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ମଣିପୁରର ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ରବିବାର ଜଣେ ଦୁର୍ବୃତ୍ତର ଆକ୍ରମଣରେ ଏହି ହିଂସା ଘଟଣା ଘଟିଛି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶନିବାର ରାତିରେ ନାଓରେମଥଙ୍ଗ ଅଞ୍ଚଳରେ ଏହି ହିଂସା ଘଟିଥିବା ନେଇ ପୁଲିସ କହିଛି। ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଏକ ନର୍ମାଣ କମ୍ପାନୀରେ ୩ ଜଣ ଶ୍ରମିକ କାମ କରୁଥିଲେ। ସେମାନେ ଏକ ଭଡ଼ା ଘରେ ରହୁଥିଲେ। ଦୁର୍ବୃତ୍ତମାନେ ଶ୍ରମିକମାନଙ୍କୁ ଘର ଭିତରୁ ଶନିବାର ରାତିରେ ବଳପୂର୍ବକ ବାହାର କରିଥିଲେ। ଗୁଳିକରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଆଜି ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଆହମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଣି ଥରେ ମଣିପୁରରେ ହିଂସାକାଣ୍ଡ ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିଦିଆଯାଇଛି। ତେବେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ଅଛନ୍ତି।