ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଯୁବତୀ ଅପହରଣ ଏବଂ ତାପଙ୍ଗ ଖଣିରେ ଯୁବତୀଙ୍କ କଙ୍କାଳ ଉଦ୍ଧାର ଘଟଣାରେ କମିଶନରେଟ୍ ପୋଲିସ ପର୍ଦ୍ଦାଫାସ କରିଛି । ଘଟଣାରେ ଯୁବତୀଙ୍କ ପୁରୁଷ ବନ୍ଧୁ ଦେବାଶିଷ ବିଶୋୟୀଙ୍କୁ ଗିରଫ କରାଯାଇଛି । ସେ ନୟାଗଡ଼ ରଣପୁର ମଝିଆଖଣ୍ଡ ଅଞ୍ଚଳର ବାସିନ୍ଦା ଅଟେ । ମୃତ ଯୁବତୀ ହେଲେ ରଣପୁର ହରିପୁର ଅଞ୍ଚଳର ନିରୁପମା ପରିଡ଼ା (୨୨) । ଏ ନେଇ ପୋଲିସ କମିଶନର ଏସ୍.ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି ।
ପୋଲିସ ମୁତାବକ, ନିରୁପମା ଭରତପୁର ଥାନା ପାତ୍ରପଡ଼ା ଶ୍ରୀକ୍ଷେତ୍ର ରେସିଡେନ୍ସିର ସମରଜିତ୍ ଜେନାଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲେ । ଗତ ଜାନୁଆରୀ ୨୪ ତାରିଖରେ ସମରଜିତଙ୍କ ପରିବାର ଭଞ୍ଜନଗର ବାହାରିଥିଲେ । ସେମାନେ ନିରୁପମାଙ୍କୁ ସାଙ୍ଗରେ ନେଇଯିବାକୁ କହିଥିଲେ, ହେଲେ ସେ ମୋବାଇଲ୍ ଠିକ୍ କରି ଗାଁକୁ ଯିବ ବୋଲି କହିଥିଲେ । କିନ୍ତୁ ନିରୁପମା ଆଉ ଘରକୁ ଯାଇ ନ ଥିଲେ । ଗତ ଜାନୁଆରୀ ୨୭ ତାରିଖରେ ସମରଜିତ ଏବଂ ନିରୁପମାଙ୍କ ପରିବାର ଅପହରଣ କରାଯାଇଥିବା ନେଇ ଭରତପୁର ଥାନାରେ ଏତଲା ଦେଇଥିଲେ ।
ପୋଲିସ ଯାଞ୍ଚରୁ ଜଣାପଡ଼ିଛି ଯେ ଦେବାଶିଷ ଭୁବନେଶ୍ଵରରେ ଇଲେକ୍ଟ୍ରିକ୍ ମେକାନିକ୍ ଭାବେ କାମ କରେ । ନିରୁପମା ଏବଂ ଅଭିଯୁକ୍ତ ଦେବାଶିଷଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ପ୍ରେମିକାଙ୍କ ଉପରେ ଦେବାଶିଷର ସନ୍ଦେହ ହୋଇଥିଲା । ଜାନୁୟାରୀ ୨୪ ତାରିଖରେ ଦେବାଶିଷ ନିରୁପମାଙ୍କୁ ଅପହରଣ କରି ନୟାଗଡ଼ ନେଇଥିଲା । ଉଭୟ ସେଠାରେ ବୁଲାବୁଲି କରିଥିଲେ । କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯୁବକ ଜଣକ ଯୁବତୀଙ୍କୁ ଖୋର୍ଦ୍ଧା ସଦର ଥାନା ନିଜିଗଡ଼ ତାପଙ୍ଗ ଅଞ୍ଚଳକୁ ପୁଣି ନେଇଥିଲା । ସେଠାରେ ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ପରେ ଦେବାଶିଷ ଏକ ଓଢ଼ଣୀରେ ଯୁବତୀର ତଣ୍ଟି ଚିପି ହତ୍ୟା କରିବା ପରେ ପୋତି ଦେଇଥିଲା । ଏହା ପରେ ସେ ଫେରାର ହୋଇଥିଲା ।
ପୋଲିସ ମାମଲାର ତଦନ୍ତ କରି ଦେବାଶିଷଙ୍କ ନମ୍ବରକୁ ଟ୍ରାକ୍ କରି ସନ୍ଦେହ କରିଥିଲା । ଦୀର୍ଘ ୮ ମାସ ପରେ ଦେବାଶିଷକୁ ଗିରଫ କରିଥିଲା । ଏହା ପରେ ସେ ସବୁ ସତ ମାନିଥିଲା । ପରେ ତାପଙ୍ଗ ଅଞ୍ଚଳରୁ ଦିନକ ତଳେ ନିରୁପମାଙ୍କ କଙ୍କାଳକୁ ତାପଙ୍ଗ ଖଣିରୁ ଉଦ୍ଧାର କରିଥିଲା ପୋଲିସ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା କମିଶନର କହିଛନ୍ତି ।