ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ୨୦୨୪ ର ୫୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜିର ମ୍ୟାଚ ଖେଳାଯିବ । ଚଳିତ ସିଜନରେ ଋଷବ ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ କରିଛି। ଦିଲ୍ଲୀ ୧୧ ଟି ମ୍ୟାଚ ମଧ୍ୟରୁ ୫ ଟି ମ୍ୟାଚରେ ବିଜୟ ହାସଲ କରିଥିବାବେଳେ ୬ ଟି ମ୍ୟାଚରେ ପରାସ୍ତ ହୋଇଛି । ଅନ୍ୟପକ୍ଷରେ ସଞ୍ଜୁ ସାମସନଙ୍କ ପ୍ରତିନିଧିତ୍ୱରେ ରାଜସ୍ଥାନ ୧୦ ଟି ମ୍ୟାଚରୁ ୮ ଟି ମ୍ୟାଚ ଜିତିଛି ଏବଂ ବର୍ତ୍ତମାନ ଆଇପିଏଲ ୨୦୨୪ ର ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ଲେଅଫରେ ପହଞ୍ଚିବାକୁ ହେଲେ ରାଜସ୍ଥାନକୁ ଗୋଟିଏ ବିଜୟର ଆବଶ୍ୟକତା ରହିଛି ।
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅନୁକୂଳ ଅଟେ। ଛୋଟ ପଡ଼ିଆ ଯୋଗୁଁ ହାଇ ସ୍କୋରିଂ ମ୍ୟାଚ ଦେଖିବାକୁ ମିଳେ । ମ୍ୟାଚ ଆରମ୍ଭରୁ ଦ୍ରୁତ ବୋଲରମାନଙ୍କୁ ପିଚ୍ ରୁ ସାହାଯ୍ୟ ମିଳିଥାଏ କିନ୍ତୁ ପରେ ବ୍ୟାଟ୍ସମ୍ୟାନ ମାନେ ଦ୍ରୁତ ଗତିରେ ବ୍ୟାଟିଂ କରିଥାନ୍ତି । ତେବେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଇପିଏଲର ୧୧୧ ଟି ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଆୟୋଜକ ଦଳ ୬୩ ଟି ମ୍ୟାଚରେ ଜିତିଥିବାବେଳେ ଭ୍ରମଣକାରୀ ଦଳ ୪୮ ଟି ମ୍ୟାଚ ଜିତିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ଆଇପିଏଲ ଇତିହାସରେ ଏପର୍ଯ୍ୟନ୍ତ ୨୮ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଦିଲ୍ଲୀ ଦଳ ୧୩ ଟି ମ୍ୟାଚ ଜିତିଥିବାବେଳେ ରାଜସ୍ଥାନ ୧୫ ଟି ମ୍ୟାଚ ଜିତିଛି।
ଅଧିକ ପଢନ୍ତୁ : ସୂର୍ଯ୍ୟଙ୍କ ଶତକ ବଳରେ ମ୍ୟାଚ ଜିତିଲା ମୁମ୍ବାଇ