ଆଇପିଏଲ୍ ୨୦୨୪ ର ୬୯ ତମ ମ୍ୟାଚ ରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ । ତେବେ ହାଇଦ୍ରାବାଦ ପୂର୍ବରୁ ପ୍ଲେ ଅଫ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବାବେଳେ ପଞ୍ଜାବ କିଙ୍ଗ୍ସ ପ୍ଲେ ଅଫ୍ସ ଦୌଡରୁ ବାଦ ପଡିଛି ।
ପଞ୍ଜାବ କିଙ୍ଗ୍ସ ଲିଗ ପର୍ଯ୍ୟାୟର ଶେଷ ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ। ଚଳିତ ସିଜନରେ ୧୩ ଟି ମ୍ୟାଚ ମଧ୍ୟରୁ ୭ ଟି ମ୍ୟାଚରେ ହାଇଦ୍ରାବାଦ ଦଳ ବିଜୟର ସ୍ୱାଦ ଚାଖିଛି ଏବଂ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି। ଏଥି ସହିତ ପଞ୍ଜାବ କିଙ୍ଗ୍ସ ଶେଷ ମ୍ୟାଚରେ ହାଇଦ୍ରାବାଦକୁ ପରାସ୍ତ କରି ବିଜୟ ସହ ସେମାନଙ୍କର ଯାତ୍ରା ଶେଷ କରିବାକୁ ଚାହିଁବ।
ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଆଜିର ମ୍ୟାଚ ଖେଳାଯିବ । ତେବେ ଏହି ପିଚରେ ବ୍ୟାଟକୁ ଭଲ ଭାବେ ବଲ ଆସୁଥିବାରୁ ବଡ ସ୍କୋର ଦେଖିବାକୁ ମିଳିଥାଏ । ତେବେ ଏହି ଗ୍ରାଉଣ୍ଡରେ ଶେଷ ମ୍ୟାଚରେ ବର୍ଷା ହେତୁ ସନରାଇଜର୍ସ ହାଇଦ୍ରାବାଦ ବନାମ ଗୁଜୁରାଟ ଟାଇଟାନ୍ସ ମ୍ୟାଚ ବାତିଲ କରାଯାଇଥିଲା।
ଏହି ପିଚରେ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ହାରାହାରି ସ୍କୋର ହେଉଛି ୧୭୧ ରନ, କିନ୍ତୁ ଆଜିର ମ୍ୟାଚରେ ଏକ ବଡ଼ ସ୍କୋର ହେବ ବୋଲି ଆଶା କରାଯାଉଛି । ହାଇଦ୍ରାବାଦର ପିଚ ବ୍ୟାଟିଂ ପାଇଁ ୬୦ ପ୍ରତିଶତ ଏବଂ ବୋଲିଂ ପାଇଁ ୪୦ ପ୍ରତିଶତ ଲାଭଦାୟକ ଅଟେ। ପେସ୍ ବୋଲରମାନଙ୍କୁ ମଧ୍ୟ ଏହି ପିଚ ରେ ସାହାଯ୍ୟ ମିଳିଥାଏ ।
ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ମୋଟ ୭୧ ଟି ଆଇପିଏଲ ମ୍ୟାଚ ଆୟୋଜିତ ହୋଇଛି ଯେଉଁଥିରେ ଆୟୋଜକ ଦଳ ୩୬ ଥର ମ୍ୟାଚ ଜିତିଥିବାବେଳେ ଭ୍ରମଣକାରୀ ଦଳ ୩୫ ଥର ଜିତିଛନ୍ତି। ତେବେ ଏହି ଗ୍ରାଉଣ୍ଡରେ ଚେଜ କରିବା ସହଜ ହୋଇଥାଏ କାରଣ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩୪ ଟି ମ୍ୟାଚ ଜିତିଥିବାବେଳେ ପଛରେ ବ୍ୟାଟିଂ କରୁଥିବା ଦଳ ୪୨ ଟି ମ୍ୟାଚ ଜିତିଛି । କିନ୍ତୁ ଶେଷ ୧୦ ଟି ମ୍ୟାଚ ଉପରେ ନଜର ପକାଇଲେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଅଧିକ ମ୍ୟାଚ ଜିତିଛି । ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୭ ଟି ମ୍ୟାଚରେ ବାଜି ମାରିଥିବାବେଳେ ଚେଜ କରୁଥିବା ଦଳ ୩ ଟି ମ୍ୟାଚରେ ବିଜୟ ହାସଲ କରିଛି । ତେବେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ପୂର୍ବରୁ ୨୨ ଥର ମୁହାଁମୁହିଁ ହୋଇଥିବାବେଳେ ହାଇଦ୍ରାବାଦ, ପଞ୍ଜାବ ଉପରେ ଭାରି ପଡିଛି । ହାଇଦ୍ରାବାଦ ୧୫ ଟି ମ୍ୟାଚ ଜିତିଥିବାବେଳେ ପଞ୍ଜାବ ୭ ଟି ମ୍ୟାଚ ଜିତିଛି ।
ଅଧିକ ପଢନ୍ତୁ : ରୋହିତ ଶର୍ମାଙ୍କ ଫର୍ମକୁ ନେଇ କିଛି ଏଭଳି କହିଲେ ସୁନୀଲ ଗାଭାସ୍କର