ହାଇଦ୍ରାବାଦ୍: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୭ତମ ସଂସ୍କରଣର ୬୯ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ରବିବାର ପଂଜାବ କିଙ୍ଗ୍ସକୁ ୪ ୱିକେଟ୍ରେ ପରାସ୍ତ କରିଛି। ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପଂଜାବ ଆୟୋଜକ ଟିମ୍କୁ ୨୧୫ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ହାଇଦ୍ରାବାଦ୍ ଏହାକୁ ଶେଷ ଓଭରର ପ୍ରଥମ ବଲ୍ରେ ହାସଲ କରିଥିଲା। ନିଜର ଶେଷ ଲିଗ୍ ମ୍ୟାଚରେ ବିଜୟ ସହିତ ହାଇଦ୍ରାବାଦ୍ର ଟିମ୍ ଅଙ୍କତାଲିକାରେ ଦ୍ବିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଯଦି ରାଜସ୍ଥାନ ରୟାଲ୍ସକୁ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ପରାଜୟ ମିଳେ, ଏହାର ଫଳ ଶୂନ୍ୟ ସହିତ ସମାନ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ୍ ୨ୟ ସ୍ଥାନରେ ରହିବ। ଏଭଳି ସ୍ଥିତିରେ ହାଇଦ୍ରାବାଦ୍ କ୍ବାଲିଫାୟର-୧ରେ କୋଲକାତାକୁ ସାମ୍ନା କରିବ।
ହାଇଦ୍ରାବାଦ୍ର ବିଜୟରେ ଅଭିଷେକ ଶର୍ମା ଓ ହେନିରକ କ୍ଲାସେନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ୫ ଚୌକା ଓ ୬ ଛକା ସହିତ ୨୮ଟି ବଲ ଖେଳି ୬୬ ରନ୍ ସଂଗ୍ରହ କରିଥିଲେ। ହେନରିକ କ୍ଲାସେନ୍ ୨୬ଟି ବଲ ଖେଳି ୪୨ ରନ୍ କରିଥିଲେ, ଯେଉଁଥିରେ ୩ଟି ଚୌକା ଓ ୨ଟି ଛକା ସାମିଲ ରହିଛି। ରାହୁଲ ତ୍ରିପାଠୀ (୩୩) ଓ ନୀତୀଶ ରେଡ୍ଡୀ (୩୭) ମଧ୍ୟ ହାଇଦ୍ରାବାଦ୍ ପାଇଁ ଉପଯୋଗୀ ଯୋଗଦାନ ଥିଲା। ଟ୍ରେଭିସ ହେଡ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ନଥିଲେ ଏବଂ ସେ ଖାତା ଖୋଲି ନପାରି ପାଭିଲିୟନ ଫେରି ଯାଇଥିଲେ। ପଂଜାବ ପାଇଁ ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହ ୨-୨ ୱିକେଟ୍ ନେଇଥିଲେ। ପଂଜାବ କିଙ୍ଗ୍ସର ଚଳିତ ସଂସ୍କରଣରେ ୯ମ ପରାଜୟ ଓ ଅଙ୍କତାଲିକାରେ ୯ମ ସ୍ଥାନରେ ରହିଛି।