ଲଗାତାର ପରାଜୟ ପରେ ବିଜୟ ଟ୍ରାକକୁ ଫେରିବା ସହ ମୁମ୍ବାଇ, ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଘରୋଇ ମୈଦାନ ୱାନଖେଡେ ଷ୍ଟାଡିୟମରେ ୭ ୱିକେଟ୍ ରେ ବାଜି ମାରିଛି ମୁମ୍ବାଇ। ହାଇଦ୍ରାବାଦ ଦେଇଥିବା ୧୭୪ ରନର ଲକ୍ଷ୍ୟକୁ ୧୭.୨ ଓଭରରେ ଚେଜ କରିଛି ମୁମ୍ବାଇ ଇଂଡିଆନ୍ସ । ସୂର୍ଯ୍ୟକୁମାର ଯାଦବ ଅପରାଜିତ ରହି ଶତକ ହାସଲ କରିବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଛନ୍ତି ।
ଗତ ସନ୍ଧ୍ୟାରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିଥିଲାବେଳେ ଟ୍ରାଭିସ ହେଡ଼ ୪୮ ଓ ଅଭିଶେଖ ଶର୍ମା ୧୧ ରନ ସଂଗ୍ରହ କରିଥିଲେ । ପରେ ମୟଙ୍କ ଅଗ୍ରୱାଲ ୫, ନୀତିଶ ରେଡ୍ଡୀ ୨୦, କ୍ଲାସେନ ୨, ମାର୍କୋ ୟାନସେନ ୧୭, ସେହବାଜ ଏହମଦ ୧୦, ଅବଦୁଲ ସମଦ ୩ ଓ ସାନବୀର ସିଂ ୮ ରନ ସଂଗ୍ରହ କରିଥିଲେ । ଏକ ସମ୍ମାନଜନକ ସ୍କୋର କରିବାରେ ହାଇଦ୍ରାବାଦର ଅଧିନାୟକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ୧୭ ବଲରେ ୩୫ ରନ ସଂଗ୍ରହ କରିବା ସହ ଦଳୀୟ ସ୍କୋର ୧୭୩ ରେ ପହଞ୍ଚିଥିଲା । ମୁମ୍ବାଇ ପକ୍ଷରୁ ପିୟୁଷ ଚାୱଲା ୩, ହାର୍ଦ୍ଦିକ ପାଣ୍ଡ୍ୟା ୩, ବୁମରା ୧ ଓ ଅଂଶୁଳ କାମ୍ବୋଜ଼ ଗୋଟିଏ ୱିକେଟ୍ ନେଇଥିଲେ । ଦ୍ଵିତୀୟ ଇନିଂସରେ ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷାନ ପାୱାରପ୍ଲେରେ ନିଜ ୱିକେଟ୍ ହରାଇଥିଲେ । ପରେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ନମନ ଧୀର ମଧ୍ୟ ଖାତା ନଖୋଲି ନିଜ ୱିକେଟ୍ ହରାଇଥିଲେ । ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମାଙ୍କ ଶତକୀୟ ଭାଗିଦାରୀ ବଳରେ ମୁମ୍ବାଇ ୧୭.୨ ଓଭରରେ ମ୍ୟାଚ ଜିତିଥିଲା । ଯେଉଁଥିରେ ସୂର୍ଯ୍ୟକୁମାର ଯାଦବ ୫୧ ବଲରେ ୧୦୨ ରନ କରିଥଲାବେଳେ ତିଲକ ବର୍ମା ୩୨ ବଲରେ ୩୭ ରନ ସଂଗ୍ରହ କରିଥିଲେ ।
ଅଧିକ ପଢନ୍ତୁ : ବଡ ବିଜୟ ସହ ଶୀର୍ଷରେ କୋଲକାତା ନାଇଟ ରାଇଡ଼ର୍ସ