୧୯ ବର୍ଷରୁ କମ ଏସିଆ କପ: ଗୁପଚୁପ ବିକୁଥିଲେ ଯଶସ୍ୱୀ ଜୟସ୍ୱାଲ, ପାଇଲେ ‘ମ୍ୟାନ ଅଫ ଦ ମ୍ୟାଚ’
Khabar Odisha:Food-vendor-to-national-pride-know-about-india-u-19-cricketer-Yashasvi-Jaiswal

ନୂଆଦିଲ୍ଲୀ, ଅକ୍ଟୋବର ୦୯ (ଖବର ଓଡ଼ିଶା): ଅଭାବ ଓ ଅସୁବିଧା ଦେଇ ଜୀବନ ବିତାଇଥି ଥିବା ଯଶସ୍ୱୀ ଜୟସ୍ୱାଲଙ୍କୁ ‘ମ୍ୟାନ ଅଫ ଦ ମ୍ୟାଚ’ ପୁରସ୍କାର ମିଳିଛି । ଦୁଇ ଦିନ ପୂର୍ବରୁ ବାଂଲାଦେଶରେ ଶେଷ ହୋଇଥିବା ୧୯ ବର୍ଷରୁ କମ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଯଶସ୍ୱୀ  ୩ଟି ମ୍ୟାଚ ଖେଳି ୨୧୪ ରନ ସଂଗ୍ରହ କରିଥିଲେ । ଏସିଆ କପ୍ ପରେ ଯଶସ୍ୱୀ ସ୍ୱଦେଶ ଫେରିଛନ୍ତି । ତାଙ୍କୁ କୋଚ ଜ୍ୱାଲା ସିଂହ ସମେତ ପ୍ରଶଂସକମାନେ ସ୍ୱାଗତ କରିଛନ୍ତି । 

ଭାରତ ରବିବାର ଏସିଆ କପ ଫାଇନାଲ ମ୍ୟାରେ ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ଚାମ୍ପିଅନ ହୋଇଥିଲା । ଓପନର ଯଶସ୍ୱୀ ସର୍ବାଧିକ ୮୫ ରନ ସଂଗ୍ରହ କରିଥିଲେ । ସେ ଥିଲେ ଟୁର୍ଣ୍ଣାମେଣ୍ଟର ଏକମାତ୍ର ଖେଳାଳି, ଯିଏକି ୨୦୦ରୁ ଅଧିକ ରନ ଅମଳ କରିଥିଲେ । ଏହା ପୂର୍ବରୁ ଯଶସ୍ୱୀ ଜୁଲାଇରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ସେ ବିଶ୍ୱପ୍ରସିଦ୍ଧ କ୍ରିକେଟ ତାରକା ସଚିନଙ୍କ ଠାରୁ ଏକ ବ୍ୟାଟ ଉପହାର ସ୍ୱରୂପ ପାଇଥିଲେ । ସଚିନ ନିଜେ ଯଶସ୍ୱୀଙ୍କୁ ଘରକୁ ଡାକି ଏହି ବ୍ୟାଟ ଉପହାର ଦେଇଥିଲେ । ପୁଅ ଅର୍ଜୁନଙ୍କ ଠାରୁ ସଚିନ ତେନ୍ଦୁଲକର ଯଶସ୍ୱୀଙ୍କ ସଂପର୍କରେ ଜାଣିଥିଲେ । ଜୁଲାଇରେ ଭାରତୀୟ ଟିମରେ ଅର୍ଜୁନ ଓ ଯଶସ୍ୱୀ ଶ୍ରୀଲଙ୍କା ଗସ୍ତରେ ସାମିଲ ହୋଇଥିଲେ । 

ଆର୍ଥିକ ଅବସ୍ଥା ଖରାପ ଥିବାରୁ ଯଶସ୍ୱୀଙ୍କୁ ଗୁପଚୁପ ବିକିବାକୁ ପଡୁଥିଲା । ପିତା କିଛି ଟଙ୍କା ପଠାଉଥିଲେ କିନ୍ତୁ ଏହା ଆବଶ୍ୟକତା ପୂରଣ କରିପାରୁ ନଥିଲା । ଏଥି ପାଇଁ ଏହି ଯୁବ କ୍ରିକେଟର ଗୁପଚୁପ ବିକ୍ରି କରି କିଛି ଟଙ୍କା ରୋଜଗାର କରୁଥିଲେ । ଯଶସ୍ୱୀ ଗୁପଚୁପ ବିକୁଥିଲେ ମଧ୍ୟ କ୍ରିକେଟ ଖେଳିବାକୁ ଅବହେଳା କରି ନଥିଲେ, ଯାହାର ଉଚିତ ମୂଲ୍ୟ ସେ ରବିବାର ବାଂଲାଦେଶର ମୀରପୁରସ୍ଥିତ ସେର-ଇ-ବାଂଲା ନ୍ୟାସନାଲ ଷ୍ଟାଡିୟମରେ ପାଇଛନ୍ତି । 

ଜଣେ ଭଲ କ୍ରିକେଟର ହେବା ଉଦ୍ଦେଶ୍ୟ ରଖି ଯଶସ୍ୱୀ ଉତ୍ତରପ୍ରଦେଶରୁ ମୁମ୍ବାଇ ଯାଇଥିଲେ । ଅନ୍ୟପକ୍ଷରେ ଘରେ ବହୁ ଅସୁବିଧା ଥିଲା । ଏକ ଛୋଟ ଦୋକାନ ହେଉଛି ପିତାଙ୍କ ସମ୍ବଳ । ସେ ନିଜ ଦାଦାଙ୍କ ସହିତ ରହୁଥିଲେ । ଦାଦା ମଧ୍ୟ ମାଳି କାମ କରୁଥିବାରୁ ଆର୍ଥିକ ସମ୍ବଳ ଭଲ ନଥିଲା । ଯଶସ୍ୱୀ ମୁମ୍ବାଇରେ ମୁସଲିମ ୟୁନାଇଟେଡ କ୍ଲବରୁ ଖେଳିବା ଆରମ୍ଭ କରି ଦେଇଥିଲେ । 

ଯଶସ୍ୱୀ କ୍ରିକେଟରେ ଯେଉଁ ସୁନାମ ଆଣିଛନ୍ତି, ତାହା ହେଉଛି କୋଚ ଜ୍ୱାଲା ସିଂହଙ୍କ ଆଶୀର୍ବାଦ । କୋଚ ଜ୍ୱାଲା କହିଛନ୍ତି ମୁଁ ୨୦୧୩ରେ ଯଶସ୍ୱୀଙ୍କୁ ପ୍ରଥମେ ଦେଖିଥିଲି । ସେହି ସମୟରେ ଏହି ଛୋଟ ପିଲା ୧୧ରୁ ୧୨ ବର୍ଷ ବୟସର ହେବ । ମୁଁ ତା’ର ଆଗ୍ରହକୁ ଦେଖି କୋଚିଂ ଦେବା ଆରମ୍ଭ କରିଥିଲି ବୋଲି କୋଚ କହିଛନ୍ତି ।

 

  • Tags:

Subscribe

National International State Sports Entertainment