ଅପେକ୍ଷାର ଅନ୍ତ ଘଟିଲା । ଏକ୍ସ ବ୍ୟବହାର କରୁଥିବା X ୟୁଜର୍ସଙ୍କ ପାଇଁ ଖୁସି ଖବର। ଏଥର ଏକ୍ସରେ ମଧ୍ୟ ଆପଣ ଭିଡିଓ ଓ ଅଡିଓ କଲ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଏଲନ ମସ୍କ। ଘୋଷଣା କରିବାର 2 ମାସ ଭିତରେ ନୂଆ ଫିଚର ରୋଲଆଉଟ କରିଲେ ଏଲନ ମସ୍କ । ଏକ୍ସରେ ଅଡିଓ ଏବଂ ଭିଡିଓ କଲର ସୁବିଧା ମିଳିବା ନେଇ ମସ୍କ ଅଗଷ୍ଟ 31 ତାରିଖରେ ଘୋଷଣା କରିଥିବା ବେଳେ ଗୁରୁବାର ଦିନ ଆପରେ ଏହାକୁ ରୋଲଆଉଟ କରାଯାଇଛି । ଏନେଇ କମ୍ପାନୀର ସିଇଓ ଲିଣ୍ଡା ୟାକାରିନୋ ଏବଂ ଏଲନ ମସ୍କ ଏକ୍ସରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ଆପ ଖୋଲିବା ମାତ୍ରେ ୟୁଜର୍ସଙ୍କୁ 'Audio and Video calls are here' ମେସେଜ ଦେଖାଯାଉଛି । ଏଣିକି ଏକ୍ସରେ ଅଡିଓ ଏବଂ ଭିଡିଓ କଲ କରିପାରିବେ ୟୁଜର୍ସ । ଏନେଇ ପୂର୍ବରୁ ଏକ୍ସ ସିଇଓ ଲିଣ୍ଡା ଏବଂ କମ୍ପାନୀ ମାଲିକ ଏଲନ ମସ୍କ ଘୋଷଣା କରିଥିଲେ । ଆଜି ଆପରେ ଲିଣ୍ଡା ଭିଡିଓ କଲର ଏକ ସ୍କ୍ରିନସଟ ସେୟାର କରିଛନ୍ତି । ତେବେ କହିରଖୁଛି କି, ଏଲନ ମସ୍କ ଆପକୁ 'ଏଭରିଥିଙ୍ଗ' କରିବା ନେଇ ସ୍ବପ୍ନ ଦେଖୁଥିଲେ । ଏହାର ଅର୍ଥ ଗୋଟିଏ ଆପ ବ୍ୟବହାର କରି ୟୁଜର୍ସ ସମସ୍ତ ସୁବିଧା ପାଇପାରିବେ । ମେସେଜ, ଭିଡିଓ କଲ ଠାରୁ ଆରମ୍ଭ କରି ପେମେଣ୍ଟ ସୁବିଧା ମଧ୍ୟ ପାଇପାରିବେ । ତେବେ ମସ୍କ ଗୋଟିଏ ପରେ ଗୋଟିଏ ଇଚ୍ଛାକୁ କାର୍ଯ୍ୟକାରୀ କରିଲା ଭଳି ମନେ ହେଉଛି । ଯେଉଁ ୟୁଜର୍ସଙ୍କୁ ନୂଆ ଫିଚର ମିଳିଯାଇଛି ସେମାନେ ସିଧା ମେସେଜ୍ ସେକ୍ସନକୁ ଯାଇ ଏହାକୁ ଏନେବଲ କରିପାରିବେ । ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କେତେକ ସ୍ୱତନ୍ତ୍ର ଗ୍ରାହକଙ୍କୁ ଏହି ସୁବିଧା ପ୍ରଦାନ କରିଛନ୍ତି । ମସ୍କ କହିଛନ୍ତି ଖୁବ୍ ଶୀଘ୍ର ଏହି ସୁବିଧା ଅନ୍ୟ ଗ୍ରାହକଙ୍କୁ ବି ମିଳିଯିବ ।
ଅଧିକ ପଢ଼ନ୍ତୁ : ଏକ୍ସରୁ ହଟିଲା ହମାସ୍ ସମର୍ଥକଙ୍କ ଆକାଉଣ୍ଟ