ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ, ପ୍ରେମରୁ ପ୍ରତିଶୋଧ
Khabar Odisha:police-arrested-accused-of-Sri-Sri-University-hostel-superintendent
କଟକ, ଡିସେମ୍ବର ୨(ଖବର ଓଡିଶା):

କଟକ ବାରଙ୍ଗରେ ଥିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଥିବାବେଳେ ହତ୍ୟାର ୮ଦିନ ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇପାରିଛି । ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ବେହେରାଙ୍କୁ ବାରଙ୍ଗ ପୋଲିସ ଗିରଫ କରିଛି । ତାଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ବାଇକ ଓ ବନ୍ଧୁକ ଜବତ କରାଯାଇଥିବା ପୋଲିସ କମିଶନର୍‌ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ତ୍ରିକୋଣୀୟ ପ୍ରେମ ପାଇଁ ହତ୍ୟା କରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି ।

ପୋଲିସ କମିଶନରଙ୍କ ସୂଚନା ମୁତାବକ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାୟର ହଷ୍ଟେଲ୍‌ ସୁପରିଣ୍ଟେଡେଣ୍ଟ୍‌ ସୁନୀଲ କୁମାର ସାହୁ ପୂର୍ବରୁ ଢେଙ୍କାନାଳରେ ଏକ ଘରୋଇ କଲେଜରେ କାମ କରୁଥିଲେ । ସେଠାରେ ସେ ଆଡ଼୍‌ମିନିଷ୍ଟ୍ରେଟିଭ୍‌ ଅଫିସର୍‌ ଥିଲେ । ସେହି କଲେଜର ଜଣେ ମହିଳା ଅଧ୍ୟାପିକାଙ୍କ ସହିତ ତାଙ୍କର ଅନୈତିକ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଅଧ୍ୟାପିକାଙ୍କ ବିରୋଧ ସତ୍ୱେ ସେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହିତ ତାଙ୍କର ଦରମା ବନ୍ଦ କରି ଦେଉଥିଲେ । ଯାହାକୁ ନେଇ ଅଧ୍ୟାପିକା ଅତିଷ୍ଠ ହୋଇ ପଡ଼ିଥିଲେ । ଏହି ପରିପ୍ରେକ୍ଷୀରେ ସୁନୀଲ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ । ତେବେ ଏହି ଘଟଣା ସଂପର୍କରେ ଅଧ୍ୟାପିକା ଜଣକ ତାଙ୍କର ଜଣେ ବାଲ୍ୟକାଳର ବନ୍ଧୁ ନିରଞ୍ଜନଙ୍କୁ ଜଣାଇଥିଲେ । ତିନି ମାସ ପୂର୍ବରୁ ନିରଞ୍ଜନ ଏଥିପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଛି ବୋଲି ସ୍ୱୀକାର କରିଥିବା କମିଶନର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । 

ଅନ୍ୟପକ୍ଷରେ ଅଧ୍ୟାପିକା ଜଣକ କହିଛନ୍ତି କି ସେ ହତ୍ୟାକାଣ୍ଡ ସଂପର୍କରେ କିଛି ବି ଜାଣି ନାହାଁନ୍ତି । ତାଙ୍କ ବନ୍ଧୁ ଏହି ଯୋଜନା ବିଷୟରେ କିଛି ବି ଜଣାଇ ନ ଥିଲେ ବୋଲି ଅଧ୍ୟାପିକା ପୋଲିସକୁ କହିଥିବା ଜଣାପଡ଼ିଛି । 

ନିରଞ୍ଜନର ମୋବାଇଲ ଟ୍ରାକ୍ କରି ତାକୁ କଟକ ଆନନ୍ଦଚାନ୍ଦ ବଜାରରୁ ଗିରଫ କରିଛି ବାରଙ୍ଗ ପୋଲିସ । ନିରଞ୍ଜନକୁ କୋର୍ଟ ଚାଲାଣ କରାଯାଇଛି । ତା ନିକଟରୁ ବନ୍ଧୁକ ଓ ବାଇକ ଜବତ କରାଯାଇଛି । ଘଟଣାର ଆହୁରି ତଦନ୍ତ ଚାଲିଛି ବୋଲି କମିଶନର କହିଛନ୍ତି  ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ରବିବାର ଦିନ ଗୋଡ଼ି ସାହି ଫାଣ୍ଡି ନିକଟରେ ସୁନୀଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । 

Subscribe

National International State Sports Entertainment