ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ହାଇୱା । ଟାୟାର ଫାଟି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ପାଣିକୋଇଲି ଜାତୀୟ ରାଜପଥ ଉପରେ । ଏକ ମୋରମ ବୋଝେଇ ହାଇୱା ଚଣ୍ଡିଖୋଲରୁ ଭଦ୍ରକ ଜିଲ୍ଲା ଅଭିମୁଖେ ଯାଉଥିବାବେଳେ ଟାୟାର ଫାଟି ନିଆଁ ଲାଗିଯାଇଛି । ଗାଡ଼ିରେ ନିଆଁ ଲାଗିବା ଦେଖି ଗାଡି ଚାଳକ ଗାଡ଼ିରୁ ଓହ୍ଲାଇଯିବାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ।
ଘଟଣା ଆଜି ସକାଳ ସମୟରେ ଘଟିଛି । ପାଣିକୋଇଲି ଜାତୀୟ ରାଜପଥ ଉପରେ ଏକ ମୋରମ ବୋଝେଇ ହାଇୱା ଟ୍ରକ ଯାଉଥିବା ସମୟରେ ଗାଡିର ଟାୟାର ଫାଟି ଯାଇଥିଲା । ପରେ ଗାଡିରେ ନିଆଁ ଲାଗିବା ଦେଖି ଗାଡ଼ିରୁ ଚାଳକ ଓହ୍ଲାଇ ପଡ଼ିଥିଲେ । ସ୍ଥାନୀୟ ଲୋକ ତୁରନ୍ତ ଯାଜପୁର ରୋଡ଼ ଅଗ୍ନିଶମ ବିଭବକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଜାତୀୟ ରାଜପଥ ଉପରେ ନିଆଁ ଲାଗିଥିବାରୁ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ କରାଯାଇଥିଲା । ବର୍ତ୍ତମାନ ଯାତାୟାତ ସ୍ୱାଭାବିକ ରହିଛି ଓ ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।