ଭଦ୍ରକରେ ସାମ୍ନାକୁ ଆସିଛି ଏକ ଚମକେଇଦେବା ଭଳି ସାଇବର ଠକେଇ ଘଟଣା। ଇଣ୍ଡସଇଣ୍ଡ ବ୍ୟାଙ୍କରେ ରଖିଥିବା ୯ ଲକ୍ଷ ଟଙ୍କାର ଫିକ୍ସଡ୍ ଡିପୋଜିଟ୍ (FD) ହଠାତ୍ ଗାୟବ ହୋଇଯାଇଥିବା ଅଭିଯୋଗ କରିଛନ୍ତି ଜଣେ ଜମାକାରୀ। ଏହି ଘଟଣା ପରେ ବ୍ୟାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
ଅଭିଯୋଗକାରୀ ସେକ୍ ଜହୁର ଅହମଦ ଗତ ବର୍ଷ ଡିସେମ୍ବର ୪ ତାରିଖରେ ଇଣ୍ଡସଇଣ୍ଡ ବ୍ୟାଙ୍କରେ ୯ ଲକ୍ଷ ଟଙ୍କାର FD କରିଥିଲେ। କିନ୍ତୁ କେବଳ ୧୧ ଦିନ ମଧ୍ୟରେ ଅର୍ଥାତ୍ ଡିସେମ୍ବର ୧୫ ସୁଦ୍ଧା ତାଙ୍କ ଆକାଉଣ୍ଟରୁ ୬ଟି ଅଲଗା ଟ୍ରାଞ୍ଜାକ୍ସନ୍ ମାଧ୍ୟମରେ ସମସ୍ତ ଟଙ୍କା ଉଠାଯାଇଥିଲା। ଶେଷ ଟ୍ରାଞ୍ଜାକ୍ସନ୍ରେ ସୁଧ ସହ ମୋଟ ୯ ଲକ୍ଷ ୬୧ ହଜାର ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ଯାଇଥିବା ବ୍ୟାଙ୍କ ରେକର୍ଡରୁ ଜଣାପଡ଼ିଛି।
ଜହୁର ଅହମଦ କହିଛନ୍ତି, ଜରୁରୀ ଟଙ୍କା ଆବଶ୍ୟକ ହେବାରୁ ସେ FD ଭାଙ୍ଗିବା ପାଇଁ ବ୍ୟାଙ୍କକୁ ଯାଇଥିଲେ। କିନ୍ତୁ ସେଠାରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଟଙ୍କା ପୂର୍ବରୁ ଉଠାଯାଇଛି। ସମସ୍ତ FD ସମ୍ବନ୍ଧୀୟ କାଗଜପତ୍ର ତାଙ୍କ ପାଖରେ ଥିଲେ ମଧ୍ୟ ଆକାଉଣ୍ଟରେ ଟଙ୍କା ନଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ପ୍ରଥମେ ବ୍ୟାଙ୍କ କର୍ମଚାରୀମାନେ ଟଙ୍କା ଅନ୍ୟ ଆକାଉଣ୍ଟକୁ ଯାଇଥିବା କହିଥିଲେ। ପରେ ତାଙ୍କ ଆକାଉଣ୍ଟ ‘ହ୍ୟାକ୍’ ହୋଇଥିବା ଦାବି କରିଥିଲେ। କିନ୍ତୁ ଏହି ଉତ୍ତରରେ ସନ୍ତୁଷ୍ଟ ନହୋଇ ଜହୁର ଅହମଦ ଭଦ୍ରକ ସାଇବର ଥାନାରେ ଅଭିଯୋଗ କରିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ, ଏହି ଠକେଇ ପୂର୍ବଯୋଜିତ ଭାବେ କରାଯାଇଛି ଏବଂ ବ୍ୟାଙ୍କ ତାଙ୍କ ଜମା ଟଙ୍କା ସୁରକ୍ଷା କରିବାରେ ବିଫଳ ହୋଇଛି। ଘଟଣାକୁ ଗୁରୁତ୍ୱ ସହ ନେଇ ଭଦ୍ରକ ସାଇବର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।