ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଫାଟକ ନିକଟରେ ସ୍ପଷ୍ଟ ଦିବାଲୋକରେ ହୋଇଛି ହତ୍ୟାକାଣ୍ଡ । କିଛି ଦୁର୍ବୃତ୍ତ କାର ଆସି ଦୁଇ ଜଣଙ୍କ ଉପରେ ଭୁଜାଲି ମାଡ଼ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକ ଜଣକ ରାହୁଲ ମହତ ଓ ଆହତ ଜଣକ ଆକାଶ ସାହୁ ବୋଲି ଜଣା ପଡିଛି l ଉଭୟ ବେଲପାହାଡ଼ ଜୁନାଡିହି କଲେଜ ପଡାର ବୋଲି ଜଣାପଡ଼ିଛି ।
ପ୍ରାଥମିକ ସୂଚନା ଅନୁସାରେ, ଉଭୟ ରାହୁଲ ମହତ ଏବଂ ଆକାଶ ସାହୁ ବାଟରେ ଯାଉଥିବାବେଳେ କିଛି ଦୁର୍ବୃତ୍ତ ଏକ କାରରେ ଆସି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଅଜଣା ଯୁବକ ଭୁଜାଲି ଆକ୍ରମଣରେ ରାହୁଲଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସେହିପରି ଆକାଶଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲଖନପୁର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏବଂ ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ଖବର ଝାରସୁଗୁଡା ଏସପି, ବ୍ରଜରାଜନଗର ଏସଡିପିଓ, ବେଲପାହାଡ଼ ପୋଲିସ ଘଟଣା ସ୍ଥାଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ କାରରେ ପ୍ରାୟ 4 ଜଣ ବ୍ୟକ୍ତି ଥିଲେ । ପୋଲିସ କ୍ରାଇମ ସ୍ପଟକୁ ଆବଦ୍ଧ କରି ରଖିଛି । ହତ୍ୟାକାଣ୍ଡ କାହିଁକି ହୋଇଛି ତାହା ସ୍ପଷ୍ଟ ହୋଇ ନଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ ମୃତ ଦେହକୁ ଜବତ କରି ଛାନଭିନ ଆରମ୍ଭ କରିଛି ।