ରାୟଗଡ଼ା: ରାୟଗଡ଼ାରେ ଚର୍ଚ୍ଚିତ ହାଡପା ନିଖିଲ ହତକାଣ୍ଡ ଘଟଣାରେ ଏଯାଏଁ ଅଭିଯୁକ୍ତଙ୍କୁ ଧରି ପାରିନି ପୋଲିସ। ଏପଟେ ରାୟଗଡା ସହରରେ ଏକ ପ୍ରକାର ଅଶାନ୍ତକର ପରିବେଶ ସୃଷ୍ଟି ହୋଇଛି। ଉତ୍ତ୍ୟେକ୍ତ ଲୋକେ ଆଜି ନିଖିଲର ଶବ ଧରି ସହରରେ ଶୋଭାଯାତ୍ରା କରିଥିବା ବେଳେ ସନ୍ଧ୍ୟାରେ ଉମେଶ ହିଆଲଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କ ଘରେ ପଶି ଭଙ୍ଗାରୁଜା କରିଛନ୍ତି।
ହତ୍ୟାକାଣ୍ଡରେ ଉମେଶ ମୁଖ୍ୟ କାର୍ପଟଦାର ବୋଲି ନିଖିଲର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ସନ୍ଧ୍ୟାରେ ରୋହିତ କୋଲନୀସ୍ଥିତ ଉମେଶ ହିଆଲଙ୍କ ଘରେ କେହିନଥିବାର ସୁଯୋଗ ନେଇ ଉତ୍ତ୍ୟକ୍ତ ଲୋକମାନେ ଘର ଭାଙ୍ଗି ଆସବାବପତ୍ର ନଷ୍ଟ କରିବା ସହ ସିସିଟିଭିକୁ ଭାଙ୍ଗି ଦେଇଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉମେଶର ଘର ସାମ୍ନାରେ ପୋଲିସ ମୁତୟନ କରାଯାଇଛି । ଏପଟେ ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ରାୟଗଡ଼ା ଏସପି ସ୍ୱାତୀ ଏସ୍ କୁମାର ସୂଚନା ଦେଇଛନ୍ତି । ମୃତ ନିଖିଲର ଦେହରେ ୨ଟି ଗୁଳି ବାଜିଥିବା ପୋଲିସ ସ୍ପଷ୍ଟ କରିଛି ।
ଗତ ଶନିବାର ରାତି ୧୦ଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହାଡପା ନିଖିଲକୁ ଇନ୍ଦିରାନଗର ଅଞ୍ଚଳରେ ଗନପଏଣ୍ଟ ରେ ହତ୍ୟା କରାଯାଇଥିଲା। ଏହି ଘଟଣା ସଂପୂର୍ଣ୍ଣ ଗ୍ୟାଙ୍ଗୱ।ର ବୋଲି ଅଭିଯୋଗ ହେଉଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଗତକାଲି ଠାରୁ ତନାଘନା ଆରମ୍ଭ କରିଛି।