ଭୁବନେଶ୍ୱର: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ, ମହାପ୍ରଭୁ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଓ ବଡ଼ଭାଇ ବଳଭଦ୍ରଙ୍କୁ ବଳରାମ ଭାବରେ ସୁସଜ୍ଜିତ କରାଯାଏ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେସନ କରନ୍ତି । ମହାପ୍ରଭୁଙ୍କ ଏହି ବେଶ ଦ୍ୱିପ୍ରହର ଧୂପ ପରେ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହିଥାଏ ।
ଏହି ବେଶରେ ଉଭୟ କୃଷ୍ଣ (ଜଗନ୍ନାଥ) ଏବଂ ବଳରାମ (ବଳଭଦ୍ର) କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି । ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଥାଏ । ବଳରାମଙ୍କ ଡାହାଣ ହାତରେ ଶିଙ୍ଘା ଓ ବାମ ହସ୍ତରେ ପଦ୍ମ ଫୁଲ ଥାଏ । କିରୀଟ ଉପରେ ସୋଲରେ ନିର୍ମିତ ସପ୍ତଫେଣିଆ ସର୍ପ ବିରାଜମାନ କରିଥାଏ । ହସ୍ତ ମଧ୍ୟ କାଠରେ ତିଆରି ହୋଇଥାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି । ସେହି ପାଗ ଦ୍ୱୟ କିରୀଟଯୁକ୍ତ ହୋଇଥାଏ । ରତ୍ନ ସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କ୍ଷୁଦ୍ରକାଷ୍ଠ ନିର୍ମିତ ତଥା ଜରି ଜମ୍ବୁରାରେ ଆଚ୍ଛାଦିତ ସିଂହାସନରେ ଚକାମୁଣ୍ଡି ପକାଇ ପ୍ରଭୁ (ପଦ୍ମାସନ) ଉପନିବଶ କରନ୍ତି । ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ବ ଫୁଲ ଶୋଭାପାଏ ।
ଏହି ବେଶରେ ଶ୍ରୀପୟର, ପାଉଁଜି, ବାଙ୍କି, ପାହୁଡ଼, ଗୋଡ଼ମୁଦି, ମଲ୍ଲୀକଢ଼, ଚନ୍ଦ୍ର, ଚିତା,ନାକଚଣା,ହାତଫେର,ଖଡୁ ଇତ୍ୟାଦିରେ ସାରା ଶରୀର ଶୋଭା ପାଇଥାଏ । ସୁଭଦ୍ରାଙ୍କ ମସ୍ତକରେ ମଧ୍ୟ ଏକ କିରୀଟ ଶୋଭାପାଏ । ସବୁ ଠାକୁରଙ୍କ କିରୀଟରେ କଦମ୍ବ ଫୁଲ ଆଉ ପତ୍ର ବହୁ ପରିମାଣରେ ଲାଗିଥାଏ । ବଳଭଦ୍ର ଓ ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ ନନ୍ଦ, ଉପନନ୍ଦ, ବସୁଦେବ, ଗୋପାଳ ବାଳକମାନେ ଗୋପୀ, ବ୍ରହ୍ମା ସହସ୍ର ଚକ୍ଷୁ ଇନ୍ଦ୍ର, ନାରଦ, ରୋହିଣୀ, ଯଶୋଦାଙ୍କୁ ଦଣ୍ଡାୟମାନ ଭଙ୍ଗୀରେ ରଖାଯାଏ । ଠାକୁରଙ୍କ ଆଗରେ ଚାରିଗୋଟି ଗାଈ ଦଣ୍ଡାୟମାନ ଭଙ୍ଗୀରେ ଠିଆ ହୋଇଥାନ୍ତି । କୃଷ୍ଣ ବଳରାମ ବେଶ ଦ୍ୱିପହର ଧୂପ ପରେ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହେ । ଏହି ବେଶରେ ଖିରି ଓ ଅମାଲୁ ଭୋଗ ଲାଗେ ।
ରତ୍ନ ସିଂହାସନସ୍ଥ ଶ୍ରୀଜୀଉମାନଙ୍କର କୃଷ୍ଣ ବଳରାମ ବେଶ ଏକ ଆକର୍ଷଣୀୟ ତଥା ମନୋରମ ବେଶ । ଏହି ବେଶରେ ଜଗନ୍ନାଥଙ୍କର ୨ ହସ୍ତ, ବଳଭଦ୍ରଙ୍କର ୨ ହସ୍ତ ଓ ସୁଭଦ୍ରାଙ୍କର ୪ ହସ୍ତ ହୋଇଥାଏ । ପୂର୍ବେ ଏହି ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କର ଗିରିଗୋବର୍ଦ୍ଧନ ବେଶ ହେଉଥିଲା । ୧୯୪୭ ମସିହା ପରେ ଗିରିଗୋବର୍ଦ୍ଧନ ବେଶ ପରିବର୍ତ୍ତେ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେଉଛି ।
ଅଧିକ ପଢନ୍ତୁ: ଆସନ୍ତା ୨୫ ଯାଏ ରାଜ୍ୟରେ ପ୍ରବଳ ବର୍ଷା; ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ