ରାୟଗଡ଼ା: ମା' ମଝିଘରିଆଣୀଙ୍କ ନିକଟରେ ଆଜି ସପ୍ତପୁରୀ ଅମାବାସ୍ୟାରେ ପୂଜା ଲାଗିଲା କୁମ୍ଭାର ଘରୁ ଆସିଥିବା ମାଟି ଘୋଡ଼ା, କୁଣ୍ଡୀ, କଳସୀ ସହ ବିଭିନ୍ନ ପ୍ରକାର ଭୋଗ । କାହିଁ କେଉଁ ପୁରୁଣା କାଳରୁ ପିଢ଼ି ପରେ ପିଢ଼ି ନିଜର ପୂର୍ବପୁରୁଷଙ୍କ ଏହି ରୀତିନୀତିକୁ ପାଳନ କରି ଆସୁଛନ୍ତି ସେହି କୁମ୍ଭାର ସାହି ବାସିନ୍ଦା । ବିଶ୍ୱାସ ରହିଛି ଯେ ମା'ଙ୍କ ନିକଟରେ ସପ୍ତପୁରି ଅମାବାସ୍ୟାରେ ମାଟି ଘୋଡ଼ା, କୁଣ୍ଡି କଳସ ସହ ଭୋଗ ଦେଲେ ନିଜର କୌଳିକ ବୃତ୍ତିର ଅଭିବୃଦ୍ଧି ହେବା ସହ ବ୍ୟବସାୟ ଭଲ ହେବ।
ଏହି ଦିନ ଅନେକ ଭକ୍ତ ମନ୍ଦିରକୁ ଆସି ନିଜର ମାନସିକ କରି ମନ୍ଦିରର ମୁଖ୍ୟ ପୂଜକଙ୍କ ଦ୍ଵାରା ନିର୍ମିତ ତମ୍ବା ପତ୍ରର ଯନ୍ତ୍ର ଓ ଡେଉଁରିଆ ନେଇଥାନ୍ତି । ବିଶ୍ୱାସ ରହିଛି ଏହାକୁ ନେଇ ଘରେ ରଖିଲେ ଓ ବ୍ୟବହାର କଲେ ପରିବାର ଉପରେ ମା' ମଝିଘରିଆଣୀଙ୍କ ଆଶୀର୍ବାଦ ସହ ଶୁଭ ଦୃଷ୍ଟି ରହିବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା'ଙ୍କ ନିକଟରେ ଏଭଳି ନୀତିକାନ୍ତି ହେଉଥିବା ମନ୍ଦିରର ମୁଖ୍ୟ ପୂଜକ ଚନ୍ଦ୍ର ପୂଜାରୀ କହିଛନ୍ତି ।