ବେଙ୍ଗାଲୁରୁ: କଂଗ୍ରେସ ନେତାଙ୍କ ଟଙ୍କା ଗୋଦାମ । ପୁଳା ପୁଳା ଟଙ୍କା ବିଡ଼ା ଦେଖି ତଦନ୍ତକାରୀ ସଂସ୍ଥା ଟେରା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶନିବାର କର୍ଣ୍ଣାଟକର କଂଗ୍ରେସ ବିଧାୟକ କେସି ବୀରେନ୍ଦ୍ର 'ପପି' (୫୦)ଙ୍କୁ ଗିରଫ କରିଛି । ଚିତ୍ରଦୁର୍ଗ ବିଧାୟକ ପପିଙ୍କୁ ସିକିମ ରାଜଧାନୀ ଗ୍ୟାଙ୍ଗଟକରୁ ଗିରଫ କରାଯାଇଛି । ବିଭିନ୍ନ ରାଜ୍ୟରେ ଚଢାଉ ପରେ ୧୨ କୋଟି ନଗଦ ଟଙ୍କା, ଯେଉଁଥିରେ ପ୍ରାୟ ୧ କୋଟି ଟଙ୍କାର ବିଦେଶୀ ମୁଦ୍ରା ରହିଛି, ୬ କୋଟି ଟଙ୍କାର ସୁନା ଅଳଙ୍କାର, ପ୍ରାୟ ୧୦ କିଲୋ ରୂପା ଏବଂ ଚାରୋଟି ଦାମୀ କାର୍ ଜବତ କରାଯାଇଛି ।
ଇଡିର ବେଙ୍ଗାଲୁରୁ ଶାଖା ପକ୍ଷରୁ କୁହାଯାଇଛି ଯେ ବିଧାୟକ ପପି ତାଙ୍କ ସହଯୋଗୀମାନଙ୍କ ସହିତ ଏକ କାସିନୋ ଲିଜରେ ନେବାକୁ ଗ୍ୟାଙ୍ଗଟକ୍ ଯାଇଥିଲେ । ଶୁକ୍ରବାର ବିଧାୟକଙ୍କୁ ଇଡି ଗିରଫ କରିଥିଲା । ଗ୍ୟାଙ୍ଗଟକର ଜଣେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ତାଙ୍କୁ ହାଜର କରାଯିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ବେଙ୍ଗାଲୁରୁ ଅଣାଯାଇଛି ।
୩୦ଟି ସ୍ଥାନରେ ଚଢାଉ
ଗିରଫର ଗୋଟିଏ ଦିନ ପୂର୍ବରୁ ଇଡି କେସି ବୀରେନ୍ଦ୍ର, ତାଙ୍କ ଭାଇ ଏବଂ ଅନ୍ୟ କେତେ ଜଣଙ୍କ ବିରୁଦ୍ଧରେ ବେଆଇନ ଅନଲାଇନ୍ ଏବଂ ଅଫଲାଇନ୍ ବେଟିଂରେ ସମ୍ପୃକ୍ତି ଅଭିଯୋଗରେ ମନି ଲଣ୍ଡରିଂ ମାମଲାରେ ୬ଟି ରାଜ୍ୟର ୩୦ଟି ସ୍ଥାନରେ ଚଢାଉ କରିଥିଲା। ଚିତ୍ରଦୁର୍ଗ (୬), ବେଙ୍ଗାଲୁରୁ (୧୦), ଯୋଧପୁର (୩ ), ହୁବଲି (୧), ମୁମ୍ବାଇ (୨ ) ଏବଂ ଗୋଆ (୮ ) ସ୍ଥାନରେ ଚଢାଉ କରାଯାଇଥିଲା । ଯେଉଁଥିରେ ପାଞ୍ଚଟି ପ୍ରମୁଖ କାସିନୋ- ପପିଜ୍ କାସିନୋ ଗୋଲ୍ଡ, ଓସିଆନ୍ ରିଭର୍ସ କାସିନୋ, ପପିଜ୍ କାସିନୋ ପ୍ରାଇଡ୍, ଓସିଆନ୍ ୭ କାସିନୋ ଏବଂ ବିଗ୍ ଡ୍ୟାଡି କାସିନୋ ଅନ୍ତର୍ଭୁକ୍ତ ।
ତଦନ୍ତରୁ ଜଣାପଡିଛି ଯେ ବିଧାୟକ ବୀରେନ୍ଦ୍ର ଏବଂ ତାଙ୍କ ସହଯୋଗୀମାନେ କିଙ୍ଗ ୫୬୭, ରାଜା ୫୬୭, ପପିଜ୍ ୦୦୩ ଏବଂ ରତ୍ନା ଗେମିଂ ଭଳି ନାମରେ ଅନେକ ବେଆଇନ ବେଟିଂ ୱେବସାଇଟ୍ ଚଳାଉଥିଲେ। ବୀରେନ୍ଦ୍ରଙ୍କ ଭାଇ କେ.ସି. ନାଗରାଜ ଏବଂ ତାଙ୍କ ପୁଅ ପୃଥ୍ୱୀ ଏନ. ରାଜଙ୍କ ପରିସରରୁ ସମ୍ପତ୍ତି ସହିତ ଜଡିତ ଅନେକ କାଗଜପତ୍ର ମଧ୍ୟ ଜବତ କରାଯାଇଛି । ତାଙ୍କ ଅନ୍ୟ ସହଯୋଗୀ ହେଉଛନ୍ତି ଅନ୍ୟ ଜଣେ ଭାଇ କେ.ସି. ଥିପ୍ପେସ୍ୱାମୀ ଯିଏ ଦୁବାଇରେ ରହି ଅନଲାଇନ୍ ଗେମିଂ କାର୍ଯ୍ୟ ପରିଚାଳନା କରୁଛନ୍ତି । ଥିପ୍ପେସ୍ୱାମୀ ଦୁବାଇସ୍ଥିତ ତିନୋଟି ସଂସ୍ଥା ଡାଇମଣ୍ଡ ସଫ୍ଟେକ୍, ଟିଆରଏସ ଟେକ୍ନୋଲୋଜି ଏବଂ ପ୍ରାଇମ୯ ଟେକ୍ନୋଲୋଜି ପରିଚାଳନା କରୁଥିଲେ, ଯାହା କଲ୍ ସେଣ୍ଟର ଏବଂ ଗେମିଂ କାର୍ଯ୍ୟରେ ଜଡିତ ଥିଲା।