ନୂଆଦିଲ୍ଲୀ: ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳି ସାରିଛି । ସରକାର କହିଛନ୍ତି ପାକିସ୍ତାନ ସହିତ କୌଣସି ପ୍ରକାରର ଦ୍ୱିପାକ୍ଷିକ ସିରିଜ୍ ଖେଳାଯିବ ନାହିଁ ମାତ୍ର ବହୁପକ୍ଷୀୟ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସହ ମ୍ୟାଚ୍ ଖେଳା ଯାଇ ପାରିବ । ଏହାକୁ ନେଇ ଶିବସେନା(ୟୁବିଟି)ର ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ସେ କହିଛନ୍ତି ଏବେ ବି ପହଲଗାମ ହମଲାରେ ମୃତ୍ୟୁ ଘଟିଥିବା ଭାରତୀୟଙ୍କ ରକ୍ତ ସୁଖିନି । ମୃତକଙ୍କ ପରିଜନଙ୍କ ଲୁହ ଥମି ନ ଥିବା ବେଳେ ପାକିସ୍ତାନ ସହ ମ୍ୟାଚ୍ ଖେଳିବା ବହୁତ ଅମାନବୀୟ ।
ରାଉତ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ଏସିଆ କପରେ ପାକିସ୍ତାନ ସହିତ ଭାରତୀୟଙ୍କ ମ୍ୟାଚ୍ ବହୁତ ଦୁଃଖଦ । ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ବିନା ମଞ୍ଜୁରୀରେ ଏହା ହୋଇ ପାରିବ ନାହିଁ । ପାକିସ୍ତାନ ସହିତ ମ୍ୟାଚ୍ ଖେଳିବା କେବଳ ସୈନିକଙ୍କ ଅପମାନ ନୁହେଁ ବରଂ କାଶ୍ମୀର ପାଇଁ ବଳିଦାନ ଦେଇଥିବା ସହିଦଙ୍କ ପ୍ରତି ମଧ୍ୟ ଅପମାନ । ଏହି ମ୍ୟାଚ୍ ଦୁବାଇରେ ହେଉଛି । ଯଦି ମହାରାଷ୍ଟ୍ରେ ହେଉଥାନ୍ତା ତେବେ ଶିବସେନା ଏହା ହେବାକୁ ଦେଇ ନ ଥାନ୍ତା । ହିନ୍ଦୁତ୍ୱ, ଦେଶଭକ୍ତି ଉପରେ କ୍ରିକେଟ୍ ଭାରି ପଡିଛି । ଆପଣଙ୍କ ନଜରରେ ଦେଶବାସୀଙ୍କ ଭାବନାର କୌଣସି ମୂଲ୍ୟ ନାହିଁ । ଶିବସେନା ଆପଣଙ୍କ ଏହି ନିଷ୍ପତ୍ତିର ଦୃଢ ନିନ୍ଦା କରୁଛି ।
ସଞ୍ଜୟ ରାଉତ ଏହା ମଧ୍ୟ କହିଛନ୍ତି, ଯେବେ ଆପଣ କହୁଛନ୍ତି ଅପରେସନ ସିନ୍ଦୂର ଏବେ ସମାପ୍ତ ହୋଇନି । ତେବେ ପାକିସ୍ତାନ ସହ ମ୍ୟାଚ୍ କେମିତି ଖେଳା ଯାଇ ପାରିବ ? ପହଲଗାମ ହମଲା ପାକିସ୍ତାନର ଆତଙ୍କବାଦୀ କରିଥିଲେ ଏବଂ ୨୬ ମହିଳାଙ୍କ ସିନ୍ଦୂର ପୋଛି ନେଇଥିଲେ । କଣ ଆପଣ ମାଆ-ଭଉଣୀଙ୍କ ଦୁଃଖ, ଯନ୍ତ୍ରଣା ବୁଝି ପାରୁଛନ୍ତି ? ଆପଣ କହୁଛନ୍ତି ରକ୍ତ ଓ ପାଣି ଏକାଠି ପ୍ରବାହିତ ହୋଇ ପାରିବନି ? ତେବେ କ୍ରିକେଟ୍ ଏବଂ ରକ୍ତ କେମିତ ଏକାଠି ଚାଲି ପାରିବ ?
ସୂଚନାଯୋଗ୍ୟ, ଏସିଆ କପ ସେପ୍ଟେମ୍ବର ୯ରୁ ଆରମ୍ଭ ହେଉଛି । ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ଟୁର୍ଣ୍ଣାମେଣ୍ଟରେ ସେପ୍ଟେମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁପ୍ରତୀକ୍ଷିତ ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିନି ମୁକାବିଲା ହୋଇପାରେ ।
Also read: ଅନୀଲ ଅମ୍ବାନୀଙ୍କ ବାସଭବନରେ ପଶିଲା ସିବିଆଇ, ୧୭ ହଜାର କୋଟି ହେରଫେର