ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଅମଲା କର୍ମଚାରୀଙ୍କ ଆନ୍ଦୋଳନ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି । ଆସନ୍ତା ସୋମବାର ଦିନ ଅମଲା କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଅମଲା ସଂଘ ସହିତ ଆଲୋଚନା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ତେବେ ଅମଲାଙ୍କ ଆନ୍ଦୋଳନ ପଛରେ ବିରୋଧୀ ଦଳ ବିଜେଡ଼ିର ହାତ ଥିବାର ଗନ୍ଧ ବାରିଛନ୍ତି ମନ୍ତ୍ରୀ ।
ଦୀର୍ଘ ଦିନ ହେବ ଅମଲା କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରୁଛନ୍ତି । ଶନିବାର ବିଭାଗୀୟ ମନ୍ତ୍ରୀ ଏବଂ ଅମଲା ସଂଘ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଥିବା ଜଣାପଡ଼ିଛି । ମନ୍ତ୍ରୀ କହିଛନ୍ତି ଯେ ଏଇଟା ମୋ ପରିବାରର ସମସ୍ୟା । ସମାଧାନ ପାଇଁ ସମୟ ଲାଗିବ । କ୍ୟାଡର ପୁନଃଗଠନ ତାଙ୍କର ପ୍ରମୁଖ ଦାବି ରହିଛି । ବିଧି ବ୍ୟବସ୍ଥା ମଧ୍ୟରେ କ୍ୟାଡର ପୁନଃଗଠନ ହେବ । ଏହି ପ୍ରକ୍ରିୟା ପ୍ରାୟ ଶେଷ ସୋପାନରେ ପହଁଚିଛି ।
ମନ୍ତ୍ରୀ ଏଥିରେ ବିଜେଡ଼ିର ଷଡ଼ଯନ୍ତ୍ର ଥିବା ଖୋଲାଖୋଲି କହିଛନ୍ତି । କିଛି ସଂଘର ନେତା ବିଜେଡି ଦ୍ୱାରା ପ୍ରେରିତ ହୋଇ ଆନ୍ଦୋଳନ କରୁଛନ୍ତି । ସେମାନେ ସମସ୍ୟାର ସମାଧାନ ଚାହୁଁ ନାହାନ୍ତି ବୋଲି ବିଭିନ୍ନ ମହାଳରୁ ତଥ୍ୟ ଆସୁଛି । ଅମଲାଙ୍କୁ ଢାଲ କରି ସରକାର ବିରୋଧରେ ଆନ୍ଦୋଳନ କରିବା ଲକ୍ଷ୍ୟ । ବିଗତ ସରକାର ଯେତେ ସମସ୍ୟା ଛାଡିକି ଯାଇଛନ୍ତି ଗୋଟିଏ ବି ସମସ୍ୟାର ସମଧାନ କରି ନାହାନ୍ତି । ଯେଉଁମାନେ ସଂଘକୁ ଭୁଲ ରାସ୍ତାରେ ନେଉଛନ୍ତି ସେମାନେ ତାଙ୍କୁ ଚିହ୍ନନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେମାନେ ମଙ୍ଗଳ ଚାହୁଁ ନାହାନ୍ତି । ଲୋକଙ୍କୁ ହଇରାଣ ନ ପକାଇ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।
ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି, କିଛି ଲୋକ ଅଛନ୍ତି ସେମାନେ ଏବେ ମଧ୍ୟ ବିଜେଡି ସରକାର ଚାଲିଥିବା ଭାବୁଛନ୍ତି । ସେମାନେ କେଉଁ କେଉଁ ନେତାଙ୍କୁ ଭେଟୁଛନ୍ତି ତାର ରିପୋର୍ଟ ମଧ୍ୟ ତାଙ୍କ ପାଖରେ ଥିବା କହିଛନ୍ତି । ଆଠ ହଜାର ଅମଲାଙ୍କୁ ଆନ୍ଦୋଳନକୁ ଓହ୍ଲାଇ ସେମାନେ ଭାବୁଛନ୍ତି ସରକାରକୁ ହଇରାଣ ପକେଇ ଦେବେ । କ୍ଷମତାରୁ ବାହାରକୁ ଯିବାକୁ ସେମାନେ ହଜମ କରି ପାରୁ ନାହାନ୍ତି । ମନ୍ତ୍ରୀ କହିଛନ୍ତି, ମୁଁ ପୁରା ବିଜେଡିକୁ କାଠ ଗଡ଼ାରେ ଛିଡା କରିବାକୁ ଚାହେଁ ନାହିଁ । କିନ୍ତୁ ସେ ସରକାରରେ ଯେଉଁମାନେ ଶକ୍ତିଶାଳୀ ଭାବେ ସମ୍ପୂର୍ଣ୍ଣ କ୍ଷମତାକୁ ଉପଭୋଗ କରୁଥିଲେ ସେମାନେ ହଜମ କରି ପାରୁ ନାହାନ୍ତି । କେମିତି ଏଇ ସରକାର ଗଲେ ସେମାନେ ପୁଣି କ୍ଷମତା କୁ ପଳେଇ ଆସିବେ । କିନ୍ତୁ ସେମାନଙ୍କୁ ଜଣା ନାହିଁ, ଏ ସରକାର ଯିବାର ନାହିଁ ବୋଲି ଦୃଢ଼ତାର ସହ କହିଛନ୍ତି ।
ବିଭିନ୍ନ ଜିଲ୍ଲାର ଅମଲା କର୍ମଚାରୀ ଆସିଥିଲେ ସେମାନେ କହୁଥିଲେ ସଂଘର ନେତା ଆମକୁ କିଛି କହୁଛି ନାହାନ୍ତି । ସୋମବାର ସେମାନେ କାର୍ଯ୍ୟରେ ଯୋଗ ଦେବାକୁ ରାଜି ହୋଇଛନ୍ତି । ଏବେ ସରକାର ଅସ୍ତ୍ର ବ୍ୟବହାର କରୁନାହାନ୍ତି । ଯଦି ସେମାନେ ସୁଧୁରିବେ ନାହିଁ, ସରକାରକୁ ଅପଦସ୍ତ କରିବାକୁ ଚେଷ୍ଟା କରିବେ, ତାହେଲେ ରାଜସ୍ୱ ବିଭାଗ ପାଖରେ ବହୁତ ଅସ୍ତ୍ର ଅଛି ସେମାନେ ସମ୍ଭାଳିବା ପାରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ।